ବିଜୁ ଯୁବ ବାହିନୀ ଆରମ୍ଭ କରିବ "ନନ୍ଦିନୀ'
ବିଜୁ ଯୁବ ବାହିନୀ ଆରମ୍ଭ କରିବ "ନନ୍ଦିନୀ'
admin
Dec 6, 2019 - 05:49
Updated: Dec 6, 2019 - 05:49
ରାଜ୍ୟବ୍ୟାପୀ ଚାଲିବ ସାମାଜିକ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର : ବିଜୁ ଯୁବ ବାହିନୀ ପକ୍ଷରୁ ଆରମ୍ଭ ହେବ ଏକ ନୂଆ ସାମାଜିକ କାର୍ଯ୍ୟକ୍ରମ "ନନ୍ଦିନୀ' । ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ଉଦେ୍ଧଶ୍ୟରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ସମଗ୍ର ରାଜ୍ୟରେ ବାଲ୍ୟବିବାହ, ଯୌତୁକ ଓ ଘରୋଇ ହିଂସା ଆଦିର ପ୍ରତିରୋଧ ଲକ୍ଷ୍ୟ ନେଇ ଜନସଚେତନତା ସୃଷ୍ଟି କରାଯିବ । ଏ ସମ୍ପର୍କରେ ପ୍ରଚଳିତ ଆଇନ ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଯିବ ।
ଏହି କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟ କରୁଥିବା ବିଜୁ ଯୁବ ବାହିନୀର କର୍ମକର୍ତ୍ତା ତଥା ସ୍ୱେଚ୍ଛାସେବୀମାନେ ୩୧୪ଟି ବ୍ଲକ୍ ଅଧୀନରେ ଥିବା ପ୍ରତ୍ୟେକ ଗ୍ରାମ ଓ ୱାର୍ଡରେ ଏହି ସଂସ୍କାରଧର୍ମୀ କାର୍ଯ୍ୟକ୍ରମ କରିବେ । ଏମାନେ ପୋଷ୍ଟର୍ ଓ ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର ସହ ଘରକୁ ଘର ଯାଇ ଏ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ । ସ୍ୱେଚ୍ଛାସେବୀମାନେ ବିଭିନ୍ନ ସରକାରୀ ବିଭାଗ ସହ ଯୋଗସୂତ୍ର ସ୍ଥାପନ କରି ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ସହିତ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସମସ୍ତଙ୍କ ନିକଟରେ ଏହାକୁ ପହଞ୍ଚାଇବାକୁ କାର୍ଯ୍ୟ କରିବେ । ବିଜୁ ଯୁବ ବାହିନୀ ପକ୍ଷରୁ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇ ଅଞ୍ଚଳକୁ ବାଲ୍ୟ ବିବାହମୁକ୍ତ, ଯୌତୁକ ମୁକ୍ତ ଓ ଘରୋଇ ହିଂସାମୁକ୍ତ ଅଞ୍ଚଳ ଭାବେ ଗଠନ କରିବା ନିମନ୍ତେ "ସଂକଳ୍ପ ସଭା'ମାନର ଆୟୋଜନ କରାଯିବ । ବାଲ୍ୟ ବିବାହ ରୋକିବା ଦିଗରେ ମାଲକାନଗିରି, ନବରଙ୍ଗପୁର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ନୟାଗଡ଼, ଗଞ୍ଜାମ, କେଉଁଝର, ବାଲେଶ୍ୱର, ଢେଙ୍କାନାଳ, ଗଜପତି, ବୌଦ୍ଧ, ଦେବଗଡ଼, ସୁବର୍ଣ୍ଣପୁର ଓ କନ୍ଧମାଳ ଆଦି ୧୫ଟି ଜିଲ୍ଲାକୁ ଫୋକସରେ ରଖାଯାଇଛି । ଯୌତୁକ ଓ ଘରୋଇ ହିଂସା ପ୍ରତିରୋଧ ପାଇଁ ଅନୁଗୁଳ, କଳାହାଣ୍ଡି, ନୂଆପଡ଼ା, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, କେନ୍ଦ୍ରାପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ଜଗତସିଂହପୁର, ଯାଜପୁର, ପୁରୀ ଓ ଭଦ୍ରକ ଆଦି ୧୫ଟି ଜିଲ୍ଲାକୁ ଫୋକସରେ ରଖାଯାଇଛି ।
ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା , ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ, ମିସନ୍ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, କ୍ରୀଡ଼ା ଓ ଯୁବସେବା ବିଭାଗର ଉପ ଶାସନ ସଚିବ ବିଜୟାନନ୍ଦ ନାୟକଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।