ବାତ୍ୟା ‘ୟାସ୍’ ଚାଲିଯାଇଛି : ଏବେ ବାତ୍ୟା ଆଶ୍ରୟସ୍ଥଳୀରୁ ଫେରୁଥିବା ଲୋକଙ୍କ ଭିତରେ ସଂକ୍ରମଣ ସମ୍ଭାବନା ଆଶଙ୍କା
ବାତ୍ୟା ‘ୟାସ୍’ ଚାଲିଯାଇଛି : ଏବେ ବାତ୍ୟା ଆଶ୍ରୟସ୍ଥଳୀରୁ ଫେରୁଥିବା ଲୋକଙ୍କ ଭିତରେ ସଂକ୍ରମଣ ସମ୍ଭାବନା ଆଶଙ୍କା
admin
May 28, 2021 - 06:59
Updated: May 28, 2021 - 06:59
ଭୁବନେଶ୍ୱର : ବାତ୍ୟା ‘ୟାସ୍’ ଚାଲିଯାଇଛି । ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଲାଗିପଡ଼ିଛି । ଏବେ ବାତ୍ୟା ଆଶ୍ରୟସ୍ଥଳୀରୁ ଫେରୁଥିବା ଲୋକଙ୍କ ଭିତରେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା ଦେଖାଦେଇଛି । ଏ ନେଇ ଚିନ୍ତାରେ ସରକାର । ଏଥିପାଇଁ ଆଶ୍ରୟସ୍ଥଳୀରେ ଘରକୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ଗୁରୁବାର ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା । ବାତ୍ୟା ଯୋଗୁ ପ୍ରଭାବିତ ଜିଲ୍ଲାର ବହୁ ଲୋକ ବାତ୍ୟା ଆଶ୍ରୟସ୍ଥଳୀରେ ଏକାଠି ହୋଇଥିଲେ । ଫଳରେ ସେମାନଙ୍କ ଭିତରେ ଉତ୍ତମ ଦୂରତା ରକ୍ଷା ସମ୍ଭବ ହୋଇନଥିବ । ସେହିପରି ଯେଉଁ ବ୍ୟକ୍ତିମାନେ ବାତ୍ୟା ପୁନରୁଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନେ ପ୍ରପୀଡ଼ିତ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଓ ସେମାନଙ୍କ ନିଜ ଘରକୁ ନେବା ଆଣିବା କରିବାବେଳେ କୋଭିଡ ନିୟମାନୁଯାୟୀ ଦୂରତା ରକ୍ଷା ହୋଇପାରିନଥିବ । ଏହା ଫଳରେ ସେମାନଙ୍କ ଭିତରେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି । ଘରକୁ ଫେରୁଥିବା ଲୋକମାନଙ୍କର ସୁସ୍ଥତା କିମ୍ବା କୋଭିଡ ଲକ୍ଷଣ ନେଇ ସତର୍କ ଦୃଷ୍ଟି ରଖାଯିବ । ଏଣିକି ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ସେସବୁ ଅଞ୍ଚଳରେ କରୋନା ଯାଞ୍ଚ କରିବେ । ଯଦି କାହାର ସ୍ୱାସ୍ଥ୍ୟ ବିଗିଡ଼ିଯାଏ, ତାହେଲେ ତୁରନ୍ତ ସେହି ବ୍ୟକ୍ତିଙ୍କର କୋଭିଡ ପରୀକ୍ଷା ପରେ ସଂକ୍ରମିତ ଚିହ୍ନଟ ହେଲେ ତାଙ୍କୁ ଏକାନ୍ତବାସରେ ରଖି ଚିକିତ୍ସା ଯୋଗାଇବା ପାଇଁ ପ୍ରଶାସନ ବ୍ୟବସ୍ଥା କରିବ ବୋଲି ସେ ଜଣାଇଛନ୍ତି ।