ବସ୍‌ ଜାଳିଦେଲେ ନକ୍ସଲ

ବସ୍‌ ଜାଳିଦେଲେ ନକ୍ସଲ

ବସ୍‌ ଜାଳିଦେଲେ ନକ୍ସଲ

ମାଲକାନଗିରି: ରାତି ଅଧରେ ଏକ ଯାତ୍ରୀବାହୀ ବସ୍ ଜାଳିଦେଲେ ଶତାଧିକ ନକ୍ସଲ। ବସ୍ରେ ଥିବା ୫୦ ପାଖାପାଖି ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍ଟି ଜଳି ପାଉଁଶ ହୋଇ ଯାଇଛି। ରବିବାର ରାତିରେ ଓଡ଼ିଶାର ମାଲକାନଗିରି ଜିଲ୍ଲା ମୋଟୁଠାରୁ ମାତ୍ର ୧୦ କିମି ଦୂର ଆନ୍ଧ୍ରପ୍ରଦେଶ କୁଟୁରଠାରେ ଘଟିଛି ଏହି ଘଟଣା।

କୁଟୁରଠାରେ ଦଣ୍ଡକାରଣ୍ୟ ଡିଭିଜନ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହି ସମୟରେ ପୋଷ୍ଟର, ବ୍ୟାନର ଲଗାଇ  ଗାଡ଼ି ଚଳାଚଳ କରିବାକୁ ବାରଣ କରାଯାଇଥିଲା। ମାତ୍ର ଏକ ବସ୍ ଗତ ରାତିରେ ପ୍ରାୟ ୫୦ ଯାତ୍ରୀଙ୍କୁ ଧରି ମାଲକାନଗିରିରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। କୁଟୁରଠାରେ ଶତାଧିକ ନକ୍ସଲ ରାସ୍ତା ଉପରକୁ ଆସି ଗାଡ଼ିଟିକୁ ଅଟକାଇଥିଲେ।  ଡ୍ରାଇଭର, ହେଲପରଙ୍କୁ ଧମକଚମକ ଦେଇ ଯାତ୍ରୀମାନଙ୍କୁ ବାହାରି ଯିବାକୁ କହିଥିଲେ।

 ଡିଜେଲ ଟାଙ୍କର ଖୋଲି ନିଆଁ ଲଗାଇ ଦେଇଥିଲେ। ଫଳରେ ଗାଡ଼ିଟି ହୁତହୁତ ହୋଇ ଜଳି ଉଠିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁ କୌଣସି ଜୀବନହାନୀ ହୋଇ ନ ଥିବା ଜଣାଯାଇଛି।

ଘଟଣାସ୍ଥଳରେ ପୁଲିସ୍ ତଦନ୍ତ ଜାରି ରହିଛି । ନକ୍ସଲ ଉପଦ୍ରବ ଅଞ୍ଚଳ ହୋଇ ନ ଥିବା ସତ୍ତ୍ୱେ  କୁଟୁରଠାରେ ଶତାଧିକ ନକ୍ସଲ ଏପରି କାଣ୍ଡ ଘଟାଇଥିବାରୁ ସେଠାରେ ସେମାନଙ୍କ ଦବଦବା ବଢ଼ିଥିବା ଅନୁମାନ କରାଯାଇଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ପୁଲିସ୍ ଅପରେସନ ବଢ଼ାଇ ଦେଇଛି।