ବିଜୁ ପଟ୍ଟନାୟକ, ସାହସର ପ୍ରତୀକ
ଭୁବନେଶ୍ୱର: ବିଜୁ ପଟ୍ଟନାୟକ । ପରିଚୟ ଲୋଡ଼ା ନାହିଁ । କାହା ପାଇଁ ପ୍ରବାଦ ପୁରୁଷ, କାହା ପାଇଁ ସେ ବିଜୁ ବାବୁ । ପେଶାୱାରକୁ ସାଇକେଲ୍ ଯାତ୍ରାରୁ ଇଣ୍ଡୋନେସିଆରେ ବିମାନ ଉଡ଼ାଣ, ଛାଡ଼ି ଯାଇଛନ୍ତି ଅଲିଭା ସ୍ୱାକ୍ଷର । ନବ ଓଡ଼ିଶାର ନିର୍ମାତା, ରାଜନୀତିର ମହାଦ୍ରୁମ, ଓଡ଼ିଆ ମାଟିର ଗର୍ବ ଗୌରବ ମହାନାୟକ ବିଜୁ ବାବୁ ଥିଲେ ଓଡ଼ିଶା ରାଜନୀତି ଇତିହାସର ସବୁଠୁ ବଡ଼ ବ୍ୟକ୍ତିତ୍ୱ, ଅଦ୍ୱିତୀୟ ଜନନାୟକ । ଏମିତି ଦୁଃସାହସୀ, ଯାହାର ବୀରତ୍ୱ ପରାକାଷ୍ଠାର କାହାଣୀ ରାଜ୍ୟ, ଦେଶର ସରହଦ ଡେଇଁ ବିଦେଶରେ ବି ଶୁଣାଯାଏ । ବିଜୟାନନ୍ଦ ପଟ୍ଟନାୟକ-ଆମର ପ୍ରିୟ ବିଜୁ ବାବୁ । ୧୯୧୬, ମାର୍ଚ୍ଚ ୫ରେ ଜନ୍ମ ନେଇଥିଲେ । ପିତା-ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ମା’- ଆଶାଲତା ଦେବୀ ।
ସ୍ୱାଧୀନତା ପୂର୍ବରୁ ସେ କଟକର ଉତ୍ତର ଆସନରୁ ୧୯୪୪ରେ ବିଧାୟକ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ୧୯୫୨ରେ ଜଗନ୍ନାଥପ୍ରସାଦ ଓ ୧୯୫୭ରେ ସୋରଡ଼ା ଆସନରୁ ସେ ବିଧାୟକ ନିର୍ବାଚିତ ହୋଇଥିଲେ । ୬୦ ଦଶକ ଆରମ୍ଭରେ ରାଜ୍ୟ କଂଗ୍ରେସର ମଙ୍ଗ ଧରିଲେ ବିଜୁ । ତାଙ୍କ ନେତୃତ୍ୱରେ ୧୪୦ରୁ ୮୨ ଆସନ ଜିତିଲା କଂଗ୍ରେସ । ୧୯୬୧ରେ ମାତ୍ର ୪୫ ବର୍ଷ ବୟସରେ ବିଜୁ ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଆଧୁନିକ ଓଡ଼ିଶା ନିର୍ମାଣର ନିଅଁ ପଡ଼ିଥିଲା ବିଜୁଙ୍କ ହାତରେ । ମୁଣ୍ଡ ଟେକିଥିଲା ବହୁ ଶିଳ୍ପ । ପାରାଦୀପ ବନ୍ଦର, ଚୌଦ୍ୱାର ଓ ବଡ଼ବିଲ ଶିଳ୍ପାଞ୍ଚଳ, ଓୟୁଏଟି, କଟକ-ଜଗତପୁର ମହାନଦୀ ହାଇୱେ ବ୍ରିଜ, ଭୁବନେଶ୍ୱର ବିମାନବନ୍ଦର, ସୁନାବେଡ଼ା ଏମଆଇଜି କାରଖାନା, ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ, ଦୈତାରୀ-ପାରାଦୀପ ହାଇୱେ, ବୁର୍ଲା ମେଡିକାଲ କଲେଜ ଭଳି ଅନେକ କୀର୍ତ୍ତିମାନ ଏହାର ସାକ୍ଷୀ ।
ରାଜ୍ୟ ନୁହେଁ, ଜାତୀୟ ରାଜନୀତିରେ ବି ବିଜୁ ଥିଲେ ବେଶ୍ ପ୍ରଭାବଶାଳୀ । ନେହରୁ ହୁଅନ୍ତୁ ଅବା ଇନ୍ଦିରା ଯୁଗ, ସବୁ ସମୟରେ ବିଜୁଙ୍କର ଥିଲା ଅଖଣ୍ଡ ପ୍ରଭାବ । ସାଲିସ ବିହୀନ ରାଜନୀତି ଥିଲା ତାଙ୍କର ମନ୍ତ୍ର । ଯେଉଁଥିପାଇଁ ସେ କଂଗ୍ରେସ ଛାଡ଼ି ଉତ୍କଳ କଂଗ୍ରେସ ନାଁରେ ନୂଆ ଆଞ୍ଚଳିକ ଦଳ ଛିଡ଼ା କଲେ । ପରବର୍ତ୍ତୀ ସମୟରେ ଜନତା ଦଳକୁ ଗଲେ ବିଜୁ । ଜରୁରୀ ପରିସ୍ଥିତି ବିରୋଧରେ ଲଢ଼ି ଜେଲ୍ ଗଲେ । ପରେ ଜନତା ପାର୍ଟି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ବିଜୁ ହେଲେ କ୍ୟାବିନେଟ ମନ୍ତ୍ରୀ । ସେତେବେଳେ ସେ କେନ୍ଦ୍ରାପଡ଼ାରୁ ସାଂସଦ ଥିଲେ । ପରବର୍ତ୍ତୀ ସମୟରେ ଦେଶବ୍ୟାପୀ କଂଗ୍ରେସ ଲହର ସତ୍ତେ୍ୱ କେନ୍ଦ୍ରାପଡ଼ାରୁ ଲଗାତାର ଦୁଇଥର ସାଂସଦ ହେଲେ । ୧୯୮୯ରେ କେନ୍ଦ୍ର ଭିପି ସିଂହଙ୍କୁ ପ୍ରଧାନମନ୍ତ୍ରୀ କରାଇବାରେ ବିଜୁ ଥିଲେ ପରଦା ପଛର ଅନ୍ୟତମ ପ୍ରମୁଖ ନାୟକ । ୧୯୯୦ରେ ବିଜୁଙ୍କର ଏମିତି ଲହରୀ ଆସିଲା, କଂଗ୍ରେସ ଏକପ୍ରକାର ସଫା ହୋଇଗଲା । ରେକର୍ଡ ଆସନ ସହ ବିଜୁ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ । ୧୯୯୬ରେ କଟକରୁ ଓ ପରେ ଆସିକାରୁ ପୁଣି ଲୋକସଭାକୁ ଗଲେ ବିଜୁ । ୧୯୯୭, ଏପ୍ରିଲ ୧୭ରେ ଆଖି ବୁଜିଲେ ବିଜୁ ।ବିଜୁ ଆଜି ନାହାନ୍ତି ସତ, ମାତ୍ର ଆଜି ବିଜୁ ଅମର ପ୍ରତିଟି ଓଡ଼ିଆଙ୍କ ହୃଦୟରେ।




admin 