ଫେରାର ପ୍ରେମୀ ଯୁଗଳଙ୍କୁ କରୋନା କାଳ, ସଙ୍ଗରୋଧ କେନ୍ଦ୍ରରୁ ଜେଲ ଗଲା ପ୍ରେମିକ
ଫେରାର ପ୍ରେମୀ ଯୁଗଳଙ୍କୁ କରୋନା କାଳ, ସଙ୍ଗରୋଧ କେନ୍ଦ୍ରରୁ ଜେଲ ଗଲା ପ୍ରେମିକ
admin
Jun 4, 2020 - 09:14
Updated: Jun 4, 2020 - 09:14
ବାଲିପାଟଣା: ପ୍ରେମକୁ ସ୍ୱୀକୃତି ନ ମିଳିବାରୁ ଫେରାର ହୋଇ ଯାଇଥିଲେ ପ୍ରେମୀ ଯୁଗଳ । ବାଲିପାଟଣାରୁ ଲୁଚିଛପି ପଳାଇଥିଲେ ସୁଦୂର ସୁରତ । ମାତ୍ର ମହାମାରୀ କରୋନା ହେଲା କାଳ । ପ୍ରେମିକ ଚାକିରି ହରାଇ ବେରୋଜଗାର ହୋଇ ପଡ଼ିବାରୁ ବାଧ୍ୟ ହୋଇ ଓଡ଼ିଶା ଫେରିଲେ । ସୁରତ ଫେରନ୍ତା ହୋଇଥିବାରୁ ଓ ପ୍ରବାସୀଙ୍କ ପାଇଁ ଲାଗୁ ହୋଇଥିବା ପଞ୍ଜୀକରଣ ନିୟମ ସେମାନଙ୍କ ପାଖରେ ଓଡ଼ିଶାର ଅନ୍ୟ କେଉଁଠି ଆତ୍ମଗୋପନ କରିବାର ବାଟ ନଥିଲା । ତେଣୁ ବାଧ୍ୟ ହୋଇ ସେମାନେ ନିଜ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ଆଶ୍ରୟ ନେଇଥିଲେ । ପୂର୍ବରୁ ନାବାଳିକା ଅପହରଣ ନେଇ ପୁଲିସରେ ଅଭିଯୋଗ ହୋଇଥିଲା । ସଙ୍ଗରୋଧ କେନ୍ଦ୍ରରେ ସେମାନେ ଆଶ୍ରୟ ନେଇଥିବା ଖବର ପାଇ ପୁଲିସ ସେଠାରୁ ପ୍ରେମିକକୁ ବାନ୍ଧି ବିଚାର ବିଭାଗୀୟ ହାଜତକୁ ପଠାଇବା ସହ ନାବାଳିକାକୁ ପରିବାର ଜିମା ଦେଇଛି । ଘଟଣାଟି ବାଲିପାଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ଘଟଣାଟି ଏମିତି । ଅଭିଯୁକ୍ତ ମଙ୍ଗୁଳି ମଲ୍ଲିକ ସୁରତରେ କାମ କରନ୍ତି । ଗାଁର ଜଣେ ନାବାଳିକାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯୁକ୍ତ ତିନି ପଢ଼ୁଥିବା ନାବାଳିକାଙ୍କ ପରିବାର ଲୋକେ କିନ୍ତୁ ଏହି ପ୍ରେମକୁ ସ୍ୱୀକୃତି ଦେଇନଥିଲେ । ତେଣୁ ସେମାନେ ଲୁଚିଛପି ଘର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ଯୋଜନା ଅନୁସାରେ ଗତ ଜାନୁଆରୀ ୨୧ରେ ସେମାନେ ନିଆଳୀରୁ ଫେରାର ହୋଇଯାଇଥିଲେ । ନିମାପଡ଼ା ଓ ପୁରୀ ଦେଇ ସେମାନେ ଗୁଜୁରାଟ ଚାଲିଯାଇଥିଲେ । ନାବାଳିକାକୁ ନ ପାଇ ପରିବାର ଲୋକେ ପ୍ରଥମେ ନିଖୋଜ ଓ ପରେ ଏକ ଅପହରଣ ମାମଲା ରୁଜୁ କଲେ । ପ୍ରେମରେ ଫସାଇ ମଙ୍ଗୁଳି ହିଁ ନାବାଳିକାକୁ ଅପରହରଣ କରି ନେଇଛି ବୋଲି ପରିବାର ଲୋକେ ସିଧାସିଧା ଅଭିଯୋଗ କଲେ । କିନ୍ତୁ ସଠିକ ଠିକଣା ନ ପାଇବା ବାହାନା କରି ପୁଲିସ ଉକ୍ତ ମାମଲାଟିକୁ ଚାପି ରଖିଥିଲା । ଏହା ଭିତରେ ମଙ୍ଗୁଳି ଓ ନାବାଳିକା ପ୍ରେମିକା ଗୁଜୁରାଟର ଅମ୍ବାଜି ମନ୍ଦିରରେ ସେହି ମାସ ୨୬ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ତେବେ ସେମାନଙ୍କ ସୁଖ ଅଧିକ ଦିନ ତିଷ୍ଠି ପାରିନଥିଲା । ମାତ୍ର ଦୁଇଟି ମାସ ବିତିଛି କି ନାହିଁ ମାଡ଼ି ଆସିଲା ମହାମାରୀ କରୋନା । ସମଗ୍ର ଦେଶରେ ଲାଗୁ ହେଲା ତାଲାବନ୍ଦ । କଳକାରଖାନାରେ ତାଲା ପଡ଼ିଗଲା । ମଙ୍ଗୁଳି ଚାକିରି ହରାଇଲା ଓ ସବୁ ଶ୍ରମିକଙ୍କ ଭଳି ବେରୋଜଗାର ହୋଇ ଘରକୁ ଫେରିବାକୁ ବାଧ୍ୟ ହେଲା । ଗତ ଦୁଇ ସପ୍ତାହ ପୂର୍ବେ ନାବାଳିକା ପ୍ରେମିକାକୁ ଧରି ସେ ଗାଁକୁ ଫେରିଲା । ସେମାନେ ଗାଁକୁ ଫେରିବା ଖବର ପୁଲିସ ନିକଟରେ ପହଞ୍ଚି ଯାଇଥିଲା । କିନ୍ତୁ ସଙ୍ଗରୋଧ କେନ୍ଦ୍ର ନିୟମାନୁସାରେ ପୁଲିସ ୧୪ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା । ପୁଲିସ ମଙ୍ଗୁଳିକୁ କୋର୍ଟ ଚାଲାଣ କରିଛି ଓ ଡାକ୍ତରୀ ମାଇନା ପରେ ନାବାଳିକାକୁ ପରିବାର ଲୋକଙ୍କ ଜିମା ଦେଇଛି ।