ପ୍ରଦୀପଙ୍କୁ ନେଇ ଥମୁନି ଚର୍ଚ୍ଚା

ପ୍ରଦୀପଙ୍କୁ ନେଇ ଥମୁନି ଚର୍ଚ୍ଚା

ପ୍ରଦୀପଙ୍କୁ ନେଇ ଥମୁନି ଚର୍ଚ୍ଚା

ନବରଙ୍ଗପୁର: କୋରାପୁଟ ଜିଲ୍ଲାର ଅନ୍ୟ ଜଣେ ଟାଣୁଆ ନେତା। କଂଗ୍ରେସର ସ୍ବର ତଥା ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ପ୍ରତି ପ୍ରସଙ୍ଗରେ ବିରୋଧୀ ଦଳକୁ ଘେରୁଥିବା ପ୍ରଦୀପଙ୍କ ଦଳ ଛାଡ଼ିବା ଖବରକୁ ନେଇ ଏବେ ରାଜନୈତିକ ମହଲରେ ସରଗରମ ଆଲୋଚନା । ଯଦିଓ ପ୍ରଦୀପ ଚର୍ଚ୍ଚାକୁ ଖଣ୍ଡନ କରୁଛନ୍ତି ତଥାପି ତାଙ୍କ ସମର୍ଥକ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ନିଜ ସମର୍ଥକଙ୍କ ସହ ପ୍ରଦୀପ ଦଳ ଛାଡ଼ିବେ ବୋଲି କୁହାଯାଉଛି। ଏପରିକି ପ୍ରଦୀପ ବି ନିଜ ବିଶ୍ୱସ୍ତ କର୍ମୀ ଏବଂ ନେତାଙ୍କ ସହ ବି ଏ ନେଇ ବିଚାର କରୁଥିବା ଜଣାପଡ଼ିଛି । ତେବେ ସେ କେଉଁ ଦଳରେ ଯୋଗଦେବେ ସେ ନେଇ ତାଙ୍କ ନିକଟତମ ମହଲରୁ କିଛି ସ୍ପଷ୍ଟ ଉତ୍ତର ମିଳୁନାହିଁ । ତଥାପି ବିଜେଡି ଯାଇପାରନ୍ତି ବୋଲି ଅଧିକ ଚର୍ଚ୍ଚା ହେଉଛି। ଏହି ଖବର ପ୍ରଚାରିତ ହେବା ପରେ କିଛି ପୁରୁଖା କଂଗ୍ରେସ ନେତା ଏବଂ ସମର୍ଥକ ମିଳିତ ଭାବେ ପ୍ରଦୀପଙ୍କୁ ଦଳ ବଦଳ ନ କରିବା ନିମନ୍ତେ ଚାପ ପକାଇଥିବା ଜଣାପଡ଼ିଛି। ଏଥିପାଇଁ କଂଗ୍ରେସ ନେତା ଏବଂ ସମର୍ଥକଙ୍କ ବୈଠକ ହୋଇଥିବା ବି ସୂଚନା ମିଳିଛି । ଛତିଶଗଡ଼ କଂଗ୍ରେସ ରାଜନୀତିରେ ମଧ୍ୟ ପ୍ରଦୀପଙ୍କ ଯଥେଷ୍ଟ ପ୍ରଭାବ ରହିଛି । ଛତିଶଗଡ଼ କଂଗ୍ରେସ ନେତା ବି ପ୍ରଦୀପଙ୍କ ଉପରେ ଦଳ ନ ଛାଡ଼ିବା ପାଇଁ ଚାପ ପକାଇବାକୁ ନିବେଦନ କରିଥିବା କୁହାଯାଉଛି । ତେବେ ପ୍ରଦୀପ ଗଣମାଧ୍ୟମକୁ ଦୃଢ଼ତାର ସହ ଦଳ ବଦଳକୁ ଖଣ୍ଡନ କରିଛନ୍ତି । ପ୍ରଦୀପ ରାଜନୈତିକ ଜୀବନ କଂଗ୍ରେସରୁ ଆରମ୍ଭ କରି ପ୍ରଥମ ଦଫା ପ୍ରତ୍ୟକ୍ଷ ନିର୍ବାଚନରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ହୋଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ନବରଙ୍ଗପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ଏହାପରେ ଦୁଇ ଦୁଇ ଥର ନିର୍ବାଚନରେ ପରାଜିତ ହୋଇଥିଲେ ପ୍ରଦୀପ । ତଥାପି ଜିଲ୍ଲା ରାଜନୀତି ତଥା କଂଗ୍ରେସରେ ଏବେ ବି ଯଥେଷ୍ଟ ପତିଆରା ତାଙ୍କର ରହିଛି ।