ପୋଷା କୁକୁର ପାଇଁ ଗଲା ମେଜରଙ୍କ ଜୀବନ ।
ପୋଷା କୁକୁର ପାଇଁ ଗଲା ମେଜରଙ୍କ ଜୀବନ ।
admin
Mar 2, 2020 - 11:42
Updated: Mar 2, 2020 - 11:42
ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାରମୂଲା ଜିଲ୍ଲା ଗୁଲମାର୍ଗରେ ଜଣେ ସେନା ଅଧିକାରୀ ଓ ତାଙ୍କର ଗୋଟିଏ ପୋଷା କୁକୁର ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି । ମୃତ ସେନା ଅଧିକାରୀ ହେଲେ ମେଜର ଅଙ୍କିତ ଭରଦ୍ୱାଜ (୩୩) । ସେ ଗୁଲମାର୍ଗ ଏସଏସଟିସିର ସିଗନାଲରେ କାର୍ଯ୍ୟ କରୁଥିଲେ । ତାଙ୍କ ଘର ମଧ୍ୟପ୍ରଦେଶର ଝାନସୀ । ସେନା ମୁଖପାତ୍ରଙ୍କ କହିବା ଅନୁଯାୟୀ ଶନିବାର ବିଳମ୍ବିତ ରାତ୍ରିରେ ମେଜର ଅଙ୍କିତ ରହୁଥିବା ସରକାରୀ ବାସଭବନରେ ନିଆଁ ଲାଗିଥିଲା । ନିଆଁ ଭିତରୁ ତାଙ୍କ ପତ୍ନୀ ଓ ଗୋଟିଏ କୁକୁରକୁ ପ୍ରଥମେ ଉଦ୍ଧାର କରିଥିଲେ । ଏହା ପରେ ନିଆଁ ଭିତରେ ରହିଯାଇଥିବା ଆଉ ଏକ କୁକୁରକୁ ଉଦ୍ଧାର କରିବା ବେଳେ ସେ ସେଠାରୁ ବାହାରି ପାରିନଥିଲେ । ଫଳରେ ମେଜର ଅଙ୍କିତ ନିଆଁରେ ପୋଡ଼ି ହୋଇଯାଇଥିଲେ । ଅନ୍ୟ ଯବାନ ଓ ଦମକଳ ବାହିନୀ ରାତି ୪ଟାରେ ଉଦ୍ଧାର କରିବା ବେଳକୁ ମେଜରଙ୍କର ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲା । ମେଜର ଓ ଅନ୍ୟ ପୋଷା କୁକୁରର ମୃତଦେହ ଗୋଟିଏ କୋଠରୀରୁ ଉଦ୍ଧାର କରାଯାଇଥିଲା । ଧାଡ଼ିରେ ଥିବା ୪ କୋଠରୀ ମଧ୍ୟରୁ ପ୍ରଥମ କୋଠରୀରେ ନିଆଁ ଲାଗି ଏହା ଅନ୍ୟ ଆଡ଼କୁ ବ୍ୟାପିଥିଲା । ଅନ୍ୟ ଯବାନମାନେ ଉଦ୍ଧାର କାର୍ଯ୍ୟ କରିବା ପୂର୍ବରୁ ମେଜର ଅଙ୍କିତ ଅନ୍ୟମାନଙ୍କୁ ନଜଣାଇ ଦ୍ୱିତୀୟ କୁକୁରକୁ ଉଦ୍ଧାର ଲାଗି ଶେଷ କୋଠରୀକୁ ଯାଇଥିଲେ । ମେଜର ଅଙ୍କିତଙ୍କର ଅନ୍ୟତ୍ର ବଦଳି ହୋଇଥିବା ବେଳେ ସ୍ଥାନାନ୍ତର ଲାଗି ଜିନିଷ ପତ୍ର ସଜାଡ଼ି ସାରିଥିଲେ । ନିଆଁର କାରଣ ଜଣାପଡ଼ି ନଥିବା ବେଳେ ବିଦ୍ୟୁତ ସଟସର୍କିଟ କିମ୍ବା କିରୋସିନି କାରଣରୁ ହୋଇଥିବା ଅନୁମାନ କରାଯାଇଛି ।