ପୁଣି ବଢ଼ିଲା ପେଟ୍ରୋଲ୍, ଡିଜେଲ ଦର
ପୁଣି ବଢ଼ିଲା ପେଟ୍ରୋଲ୍, ଡିଜେଲ ଦର
ନୂଆଦିଲ୍ଲୀ: ପେଟ୍ରୋଲ୍ ଏବଂ ଡିଜେଲ୍ ଦରରେ ଲାଗୁନି ଲଗାମ। ରାତାରାତି ହୁ ହୁ ହୋଇ ବଢୁଛି ତେଲଦର, ଗ୍ରାହକଙ୍କ ଉପରେ ପୁଣି ମହଙ୍ଗା ମାଡ। ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସା ଲେଖାଏ ବୃଦ୍ଧି ପାଇଛି । ଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୪୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୬.୬୭ ଟଙ୍କାରେ ପହଞ୍ଚି ଯାଇଛି । ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୮୫ ପଇସା ଓ ୮୪ ପଇସା ବଢିଛି । ଫଳରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ୧୨୦.୫୧ ଟଙ୍କା ଓ ଡିଜେଲର ଦାମ ୧୦୪.୭୭ ଟଙ୍କା ହୋଇଛି । ସେହିପରି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୮୬ ଓ ଡିଜେଲ ୮୫ ପଇସା ବୃଦ୍ଧି ହୋଇଛି । ବର୍ଦ୍ଧିତ ଦର ପରେ ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୧୧୨.୬୮ ଟଙ୍କା ଓ ଡିଜେଲ ଲିଟର ପିଛା ୧୦୨.୩୫ ଟଙ୍କାରେ ବିକ୍ରି ହେଉଛି ।
ଗତ ୧୬ ଦିନ ମଧ୍ୟରେ ସମଗ୍ର ଦେଶରେ ତୈଳଦର ଆଜିକୁ ମିଶାଇ ୧୪ଥର ବଢିଲାଣି । ଏହି ୧୪ ଦିନ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ପ୍ରାୟ ୧୦ ଟଙ୍କା ମହଙ୍ଗା ହୋଇଛି । ଆଗକୁ ତୈଳଦର ଆହୁରି ବଢିବ ବୋଲି ମଧ୍ୟ ଆଶଙ୍କା ରହିଛି । ଏମିତି ତେଲ ଦର ବଢଉଥିବାରୁ ଏହାର ପ୍ରଭାବ ସବୁ ଜିନିଷ ଉପରେ ପଡୁଛି ।
ନଭେମ୍ବର ୪ରୁ ଦେଶରେ ତୈଳଦର ଅପରିବର୍ତ୍ତିତ ଥିଲା । ଏହି ସମୟରେ ଅଶୋଧିତ ତୈଳଦାମ ବଢିଥିଲେ ହେଁ ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ପେଟ୍ରୋଲ ଓ ଡିଜେଲ ଦାମ ବଢାଇ ନଥିଲେ । ହେଲେ ମାର୍ଚ୍ଚ ୨୨ରୁ କ୍ରମାଗତ ଭାବେ ତୈଳଦର ବଢିବାରେ ଲାଗିଛି ।




admin 