ପରିବହନ ଅଫିସ ବାହାରେ ରାତି କଟିଲା

ପରିବହନ ଅଫିସ ବାହାରେ ରାତି କଟିଲା

ପରିବହନ ଅଫିସ ବାହାରେ ରାତି କଟିଲା
ଭୁବନେଶ୍ୱର: ଡିସେମ୍ବର୧ରୁ ନୂଆ ମୋଟର ଯାନ ଆଇନ ପୁଣି ଲାଗୁ ପାଇଁ ଘୋଷଣା ପରେ ଏବେ ଗାଡ଼ି ଚାଳକଙ୍କୁ ଘାରିଛି ଡେଡ ଲାଇନ ଭୟ । ଯେଉଁଥି ପାଇଁ ଲୋକେ ଓଏସଆରଟିସି ଅଫିସ ବାହାରେ ରାତି କାଟିଛନ୍ତି । ସକାଳ ଭିଡ଼ରୁ ବର୍ତ୍ତିବା ପାଇଁ ଓଏସଆରଟିସି ଅଫିସ ବାହାରେ ଲୋକେ ରାତି କାଟିଛନ୍ତି । ଅସମ୍ଭାଳ ଭିଡ଼ ହେଉଥିବାରୁ ଆବଶ୍ୟକୀୟ ଡକୁ୍ୟମେଣ୍ଟ ପାଇବାକୁ ଲୋକେ ଏବେ ଛାନିଆ । ଅନ୍ୟପକ୍ଷରେ ଭିଡ଼ ସତ୍ୱେ ଦିନର ସମୟ ସରିଲେ ଅଫିସ ବନ୍ଦ ଯୋଗୁଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟର ସବୁ ଆରଟିଓରେ ଅସମ୍ଭାଳ ଭିଡ଼ ଯୋଗୁଁ ଲୋକେ ଏବେ ହତାଶ ହୋଇପଡ଼ିଛନ୍ତି । ଆଉ ୨ଦିନ ପରେ ଟ୍ରାଫିକ ନିୟମକୁ ନେଇ ଗାଡ଼ି ଚାଳକଙ୍କୁ ମୋଟ ଅଙ୍କର ଫାଇନକୁ କୋହଳ ପାଇଁ ଦିଆଯାଇଥିବା ୩ମାସର କଣ୍ଟ ପୁରିବାକୁ ଯାଉଛି । ରାଜ୍ୟ ସରକାର ଗାଡ଼ି କାଗଜପତ୍ର କରିବା ପାଇଁ ୩ମାସର ସମୟ ଦେଇଥିଲେ ମଧ୍ୟ ବହୁ ଲୋକ ଏଯାଏଁ କାଗଜପତ୍ର କରି ନାହାଁନ୍ତି । ତେଣୁ ଅଫିସ ଗୁଡିକ ଦିନ ୧୦ଟାରେ ଖୋଲୁଥିଲେ ମଧ୍ୟ ଭୋର ୪ଟାରୁ ଆସି ଲାଇନ ଲଗାଉଛନ୍ତି ଗାଡି ଚାଳକମାନେ। ନୂତନ ସଂଶୋଧିତ ମୋଟର ଯାନ ଆଇନ ଅନୁଯାୟୀ, ଗାଡ଼ି ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ, ହେଲମେଟ, ପଲ୍ୟୁସନ ସାର୍ଟିଫିକେଟ, ଦୁଇଚକିଆ ଗାଡ଼ିରେ ୨ଜଣ ବସିବେ, ସମସ୍ତ ୨ଚକିଆ ଯାନ ଆରୋହୀ ହେଲମେଟ ପିନ୍ଧିବା, କାର ଚାଳକ ସିଟବେଲ୍ଟ ବାନ୍ଧିବା ଆବଶ୍ୟକ ରହିଛି । ତେବେ ଆବଶ୍ୟକୀୟ ଗାଡ଼ି କାଗଜପତ୍ର ପାଇଁ ଏବେ ରାଜ୍ୟର ସମସ୍ତ ଆରଟିଓ ଅଫିସରେ ଅସ୍ୱାଭାବିକ ଭିଡ଼ ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡ଼ା ହେଲେ ମଧ୍ୟ କାମ ହୋଇ ପାରୁ ନାହିଁ । କାଉଣ୍ଟର ଅଭାବରୁ ଲୋକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି । ତେଣୁ ଅଧିକ ଆକାଉଣ୍ଟ ଖୋଲିବାକୁ ଗାଡ଼ି ଚାଳକ ଦାବି କରୁଛନ୍ତି ।