ପ୍ରମୋସନ ପାଇଲେ, ଭିଜିଲାନ୍ସ ହାତରେ ଧରାପଡ଼ିଲେ କୋରାପୁଟ ଜିଲ୍ଲା ଲମତାପୁଟ ରେଞ୍ଜର
ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ରେଞ୍ଜର ସୁରଜିତ୍ ସାହୁଙ୍କୁ ଧରିଛି ଭିଜିଲାନ୍ସ । ତାଙ୍କୁ କୋରାପୁଟରେ ଥିବା ବିଭାଗୀୟ କାର୍ୟ୍ୟାଳୟରେ ରଖାଯାଇ ପଚରାଉଚରା କରାଯାଉଛି । ସୋମବାର ଶ୍ରୀ ସାହୁ ଭୁବନେଶ୍ୱର ଯାଉଥିବା ବେଳେ ବାଟରୁ ତାଙ୍କୁ ଭିଜିଲାନ୍ସ ଉଠାଇଥିବା ଜଣାପଡିଛି। ରାତିରେ ଭିଜିଲାନ୍ସ ଅଧିକାରୀମାନେ ଲମତାପୁଟରେ ପହଞ୍ଚି ତାଙ୍କ କାର୍ୟ୍ୟାଳୟରେ ଖୋଳତାଡ଼ ଆରମ୍ଭ କରିଛନ୍ତି । ବିଭିନ୍ନ କାଗଜପତ୍ର ଯାଞ୍ଚ ଚାଲିଛି । କେଉଁ କାରଣରୁ ଶ୍ରୀ ସାହୁଙ୍କୁ ଅଟକ ରଖାଯାଇଛି, ସେ ସଂପର୍କରେ ଭିଜିଲାନ୍ସ ଅଧିକାରୀମାନେ ମୁହଁ ଖୋଲୁ ନାହାନ୍ତି । ତଦନ୍ତ ଚାଲୁରହିଥିବାରୁ କିଛି କୁହାଯାଇ ପାରିବ ନାହିଁ ବୋଲି ବିଭାଗର ଜଣେ ଅଧିକାରୀ କହିଛନ୍ତି ।
ସୂଚନା ମୁତାବକ, ସୁରଜିତ କୁମାର ସାହୁ ଗତକାଲି ବନାଞ୍ଚଳ ଅଧିକାରୀରୁ ଏସିଏଫ୍ ପଦକୁ ପଦୋନ୍ନତି ପାଇଥିଲେ ଏବଂ ସହକର୍ମୀଙ୍କ ସହ ଭୁବନେଶ୍ୱର ଯାଉଛି ବୋଲି କହିଥିଲେ। ସେ ନିଜ ସହ ମୋଟା ଅଙ୍କର ଟଙ୍କା ନେଇ ଯାଉଥିବା କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ବିଭାଗର ଏକ ଟିମ୍ ପିଛା କରି କୋରାପୁଟରେ କାବୁ କରିଥିଲା । ତେବେ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ବିଭାଗ ସୁରଜିତ କୁମାର ସାହୁଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନରେ ରଖି ଜେରା କରିଥିବା ଜଣାପଡିଛି। ରାତି ପ୍ରାୟ ସାଢେ ୧୦ଟାରେ ଭିଜିଲାନ୍ସର ୬ ଜଣିଆ ଟିମ୍ ଲମତାପୁଟରେ ପହଞ୍ଚି ରେଞ୍ଜରଙ୍କ କାର୍ୟ୍ୟାଳୟରେ କାଗଜ ପତ୍ର ଯାଞ୍ଚ କରିବା ସହ ତଦନ୍ତ କରି ଫେରିଛନ୍ତି।




admin 