ପଞ୍ଚଭୂତରେ ଲୀନ ହେଲା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର
ପଞ୍ଚଭୂତରେ ଲୀନ ହେଲା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର
admin
Jul 21, 2020 - 15:09
Updated: Jul 21, 2020 - 15:09
ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର ଭୁବନେଶ୍ୱରର ସତ୍ୟନଗର ଶ୍ମଶାନରେ ପଞ୍ଚଭୂତରେ ଲୀନ ହୋଇଛି। ବିଜୟ ମହାନ୍ତିଙ୍କ ଏକମାତ୍ର ଜ୍ୱାଇଁ ମୁଖାଗ୍ନି ଦେଇଥିବା ଜଣାଯାଇଛି। ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଭୁବନେଶ୍ୱର ସତ୍ୟନଗରର ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ତାଙ୍କର ଶେଷକୃତ୍ୟରେ କୋଭିଡ୍ କଟକଣା ପାଇଁ ପରିବାରର ଅଳ୍ପ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଓଲିଉଡର ବହୁ କଳାକାର ଉପସ୍ଥିତ ମଧ୍ୟ ଥିଲେ।
ସୂଚନାଯୋଗ୍ୟ ରାଜଧାନୀର ଘରୋଇ ଡାକ୍ତରଖାନାରୁ ବିଜୟ ମହାନ୍ତିଙ୍କ ମରଶରୀରକୁ ପ୍ରଥମେ ବମିଖାଲସ୍ଥିତ ବାସଭବନକୁ ନିଆଯାଇଥିଲା । ପରିବାର ଓ ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ପାର୍ଥିବ ଶରୀରକୁ ସଙ୍ଗୀତ ନାଟକ ମହାବିଦ୍ୟାଳୟକୁ ନିଆଯାଇଥିଲା । ସେଠାରେ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ରାଷ୍ଟ୍ରୀୟ ମର୍ୟ୍ୟାଦା ପ୍ରଦାନ କରାଯାଇଥିଲା । ବିଜୟ ମହାନ୍ତିଙ୍କ ପରଲୋକରେ ଓଡିଆ ସିନେ ଜଗତରେ ୪୩ ବର୍ଷର ଯାତ୍ରାର ଅବସାନ ଘଟିଛି ।
୧୯୫୦ ମସିହା ଏପ୍ରିଲ ୮ ତାରିଖରେ ତାଙ୍କର ଜନ୍ମ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ୪୩ ବର୍ଷର ଅଭିନୟ ଜୀବନରେ ୧୮୦ରୁ ଅଧିକ ଓଡ଼ିଆ ଚଳଚିତ୍ରରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ବିଜୟ ମହାନ୍ତି । ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ସହିତ ୬ ଥର ରାଜ୍ୟ ଚଳଚିତ୍ର ସମ୍ମାନ ପାଇଥିଲେ ବିଜୟ ମହାନ୍ତି।