ପଛୁଆବର୍ଗ ହରାଇଲେ ୧୨୬ ଜିଲ୍ଲା ପରିଷଦ ଜୋନ

ପଛୁଆବର୍ଗ ହରାଇଲେ ୧୨୬ ଜିଲ୍ଲା ପରିଷଦ ଜୋନ

ପଛୁଆବର୍ଗ ହରାଇଲେ ୧୨୬ ଜିଲ୍ଲା ପରିଷଦ ଜୋନ
ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ଠିକ ସେଇଆ ହେଲା। ସରଂକ୍ଷଣ ସୀମା ୫o%କୁ ଖସିବା ସହ ପଛୁଆବର୍ଗ ନେତାଙ୍କ ପ୍ରତିନିଧିତ୍ୱ କମିଛି। ଆଗାମୀ ୨୦୨୨ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପ୍ରତିନିଧିତ୍ୱ କମିବ। ରାଜ୍ୟର ୮୫୩ ଜିଲ୍ଲା ପରିଷଦ ଜୋନରୁ ମାତ୍ର ୧୦୪ଟି ଆସନ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ପଛୁଆ ବର୍ଗଙ୍କ ପାଇଁ ୪୯ଟି ଓ ପଛୁଆବର୍ଗ ମହିଳା ପ୍ରାର୍ଥୀଙ୍କ ପାଇଁ ୫୫ଟି ଜିଲ୍ଲା ପରିଷଦ ଜୋନ ସଂରକ୍ଷିତ ରହିଛି । ଖାଲି ସେତିକି ନୁହେଁ, ପୂର୍ବ ନିର୍ବାଚନ ତୁଳନାରେ ପଛୁଆ ବର୍ଗ ୧୨୬ ଜିଲ୍ଲା ପରିଷଦ ଜୋନ୍‌ରେ ପ୍ରତିନିଧିତ୍ୱରୁ ବଞ୍ଚିତ ହେବେ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଅସନ୍ତୋଷ ଜାହିର କରିଛନ୍ତି। ଅପରପକ୍ଷରେ ପଛୁଆବର୍ଗ ନେତା ଓ ଜିଲ୍ଲା ପରିଷଦ ଥିବା କିମ୍ବା ଆଶାୟୀ ରହିଥିବା ପଛୁଆବର୍ଗ ନେତାଙ୍କ ପାଇଁ ଏଥର ନିର୍ବାଚନ ଲଢ଼ିବା ବାଟ ବନ୍ଦ ହୋଇଯାଇଥିବାରୁ ସେମାନଙ୍କ ଚିନ୍ତା ବଢ଼ିଯାଇଛି। ରାଜ୍ୟର ୮୫୩ ଜିଲ୍ଲା ପରିଷଦ ଜୋନ୍‌ ମଧ୍ୟରୁ ସଂରକ୍ଷିତ ରହିଛି ୪୭୦ ଆସନ। ଅନୁସୂଚିତ ଜାତିଙ୍କ ପାଇଁ ୬୪ଟି, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୮୪ଟି, ଅନୁସୂଚିତ ଜନଜାତିଙ୍କ ପାଇଁ ୧୦୦ଟି, ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୧୮ଟି ଆସନ ସଂରକ୍ଷିତ ରଖାଯାଇଛି । ୩୮୩ଟି ଜିଲ୍ଲା ପରିଷଦ ଜୋନ୍‌ ଅଣସଂରକ୍ଷିତ ଅଛି । ଏହି ଅସଂରକ୍ଷିତ ଜୋନ୍‌ ମଧ୍ୟରୁ ୧୭୬ଟିରେ କେବଳ ମହିଳା ପ୍ରାର୍ଥୀ ହୋଇପାରିବେ । ସେହିପରି ସରପଞ୍ଚ ନିର୍ବାଚନ ପାଇଁ ଏଥର ମୋଟ ୪୩୪୨ଟି ଆସନ ସଂରକ୍ଷିତ ରହିଛି । ଅନୁସୂଚିତ ଜାତି ପାଇଁ ୪୨୬, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୫୨୫, ଅନୁସୂଚିତ ଜନଜାତିଙ୍କ ଲାଗି ୧୨୩୭, ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୩୭୬, ପଛୁଆ ବର୍ଗଙ୍କ ପାଇଁ ୩୪୯, ପଛୁଆ ବର୍ଗର ମହିଳାଙ୍କ ପାଇଁ ୪୨୯ ଆସନ ସଂରକ୍ଷିତ ରଖାଯାଇଛି । ଏଭଳି ଭାବେ ସରପଞ୍ଚ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ମୋଟ ୭୭୮ଟି ଆସନ ସଂରକ୍ଷିତ ରହିଛି । ମୋଟ ୨୪୫୨ଟି ଆସନ ଅଣସଂରକ୍ଷିତ ଥିବାବେଳେ ଏଥିରୁ ୧୧୭୦ ଆସନରେ କେବଳ ମହିଳା (ସବୁ ବର୍ଗର) ପ୍ରାର୍ଥୀ ହୋଇପାରିବେ । ପୂର୍ବାପେକ୍ଷା ଏଥର ପଞ୍ଚାୟତ ସଂଖ୍ୟା ୭ ହ୍ରାସ ପାଇଛି । ୨୦୧୭ରେ ୬୮୦୧ ପଞ୍ଚାୟତରେ ଭୋଟ ହୋଇଥିଲା । ଏଥର ପଞ୍ଚାୟତ ସଂଖ୍ୟା ୬୭୯୪କୁ ହ୍ରାସ ପାଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ୬୭୯୩ ସମିତିସଭ୍ୟ ଆସନ ମଧ୍ୟରୁ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୫୧୫, ଅନୁସୂଚିତ ଜାତି ମହିଳା ବର୍ଗ ପାଇଁ ୬୮୨ଟି ଆସନ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତିଙ୍କ ପାଇଁ ୮୨୪, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୦୩୩, ପଛୁଆ ବର୍ଗଙ୍କ ଲାଗି ୩୯୫, ପଛୁଆବର୍ଗ ମହିଳାଙ୍କ ପାଇଁ ୫୧୮ଟି ଆସନ ସଂରକ୍ଷିତ ରଖାଯାଇଛି । ୨୮୨୬ ସମିତିସଭ୍ୟ ଆସନ ଅଣସଂରକ୍ଷିତ ରଖାଯାଇଥିବାବେଳେ ଏଥିରୁ ୧୩୦୫ଟି ଆସନ କେବଳ ମହିଳା ପ୍ରାର୍ଥୀଙ୍କ ରଖାଯାଇଛି । ୨୦୧୭ ପଞ୍ଚାୟତ ନିର୍ବାଚନରେ ମୋଟ ୱାର୍ଡ ସଂଖ୍ୟା ୯୨,୦୨୭ ଥିଲା । ନୂଆ ଏନ୍‌ଏସି, ମ୍ୟୁନିସିପାଲିଟି ଏବଂ ମହାନଗର ନିଗମ ଗଠନ ପାଇଁ ୧୧୧ଟି ୱାର୍ଡ ହ୍ରାସ ପାଇଛି ।