ନିର୍ମାଣାଧୀନ ଷ୍ଟାଡିୟମ୍ରୁ ମିଳିଲା ମମିତାଙ୍କ ପୋଡ଼ା ଶରୀର!
ନିର୍ମାଣାଧୀନ ଷ୍ଟାଡିୟମ୍ରୁ ମିଳିଲା ମମିତାଙ୍କ ପୋଡ଼ା ଶରୀର!
କଳାହାଣ୍ଡି/ବଲାଙ୍ଗୀର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନ୍ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତାଙ୍କ ମୃତଦେହ ମହାଲିଙ୍ଗସ୍ଥିତ ଏକ ନିର୍ମାଣାଧୀନ ପଡ଼ିଆରୁ ମିଳିଥିବା କୁହାଯାଉଛି। ଆଜି ସକାଳେ ପୁଲିସ ଉକ୍ତ ଷ୍ଟାଡିୟମ୍ରେ ଜେସିବି ଲଗାଇ ଖୋଳିବା ପରେ ତାଙ୍କ ମୃତଦେହ ମିଳିଥିଲା। ଏହି ଖବର ପ୍ରଚାରିତ ହୋଇଯିବା ପରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହାକୁ ନେଇ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ମମିତାଙ୍କ ମୃତଦେ ଚିହ୍ନଟ କରିବାକୁ ତାଙ୍କ ପରିବାର ଲୋକଙ୍କୁ ଡକାଯାଇଛି। ଅନ୍ୟ ପକ୍ଷରେ ଏହା ତାଙ୍କ ଶବ କି ନୁହେଁ ତାହା ଜାଣିବାକୁ ମୃତଦେହର ଡିଏନ୍ଏ ଟେଷ୍ଟ କରାଯିବ ବୋଲି ପୁଲିସ କହିଛି। ସୂଚନା ଅନୁଯାୟୀ ଅକ୍ଟୋବର ୮ ତାରିଖରୁ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିଲେ। ସେହିଦିନ ଉକ୍ତ ସ୍କୁଲ୍ର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ହିଁ ତାଙ୍କୁ ଦେଖା କରିବାକୁ ଡାକିଥିଲେ। ତାଙ୍କୁ ଦେଖା କରିବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି ମମିତା। ତାଙ୍କୁ ଖୋଜିବାକୁ ପୁଲିସ୍ ୮ଟି ଟିମ୍ ଗଠନ କରିଛି। ତାଙ୍କ ଏଯାଏଁ ପତ୍ତା ମିଳି ନଥିବା ବେଳେ ଏବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଫେରାର ହୋଇଯାଇଛି। ତାଙ୍କୁ ଖୋଜିବାକୁ ବି ପୁଲିସ୍ ସ୍ୱତନ୍ତ୍ର ଟିମ୍ ଗଠନ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସ କୌଣସି ସୂତ୍ରରୁ ସୂଚନା ପାଇ ଆଜି ସକାଳେ ଷ୍ଟାଡିୟମ୍ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବ୍ୟାପକ ଫୋର୍ସ ମୁତୟନ କରି ଏକ ସନ୍ଦିଗ୍ଧ ସ୍ଥାନରେ ମାଟି ଖୋଳିବା ଆରମ୍ଭ କରିଥିଲା। ୮ରୁ ୧୦ ଫୁଟ୍ ଖୋଳିବା ପରେ ଶବ ମିଳିଥିଲା। ପ୍ରଥମେ ଶବକୁ ପୋଡ଼ା ଯାଇଥିଲା। ପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସେଠାରେ ପୋତି ଦିଆଯାଇଥିବା ଜଣାପଡ଼ିଛି
।ତେବେ ଶବ ପୋଡ଼ି ଯାଇଥିବାରୁ ତାହା ମମିତାଙ୍କର କି ନୁହେଁ ତାହା ଚିହ୍ନଟ କରିବା କଷ୍ଟକର। ପୁଲିସ ପାଇଁ ଏହା ଚ୍ୟାଲେଞ୍ଜ ହେବ। କେବଳ ମମିତାଙ୍କ ପୋଷାକ ଓ ଡିଏନ୍ଏ ଟେଷ୍ଟ ଉପରେ ନିଭର କରାଯିବ। ଅନ୍ୟପକ୍ଷରେ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଟିଟିଲାଗଡ଼ ପୁଲିସ୍ ହେପାଜତରୁ ଚମ୍ପଟ ମାରିଛନ୍ତି। ତାଙ୍କୁ ଟିଟିଲାଗଡ଼ ପୁଲିସ୍ ବାରାକ୍ରେ ରଖାଯାଇଥିଲା। ରବିବାର ରାତିରେ ସେ ହାତ ଧୋଇଯିବେ କହି ଖସି ପଳାଇଥିବା କୁହାଯାଇଛି। ପାୱାର କଟ୍ ଅନ୍ଧାରର ସୁଯୋଗ ନେଇ ସେ ଖସି ପଳାଇଥିବା କୁହାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ଏହି ଘଟଣାରେ ୩ ଜଣ ପୁଲିସ୍ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି। ପୁଲିସ୍ ଗୋବିନ୍ଦ ସାହୁଙ୍କୁ ଫେରାର କରାଇ ଦେଇଛି ବୋଲି ନିଖୋଜ ଶିକ୍ଷୟିତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଏଥିରେ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ଜଣେ ସହଯୋଗୀ ଗୋବିନ୍ଦ ସାହୁ ଝିଅମାନଙ୍କ ସହିତ ଅନୈତିକ ସଂପର୍କ ରଖୁଥିବା କଥା କହିଥିଲେ। ସେ ଏ କଥା ମମିତାଙ୍କ ଜଣେ ସଂପର୍କୀୟ ଭାଇଙ୍କୁ କହିଥିଲେ। ଏହାକୁ ମମିତା ବିରୋଧ କରୁଥିଲେ। ସେ ଏଥିପାଇଁ ଗୋବିନ୍ଦ ସାହୁଙ୍କୁ ବରବାଦ କରି ଦେବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ଏମିତି କି ଏଥିପାଇଁ ସେମାନେ ଯୋଜନା ପ୍ରସ୍ତୁତ କରି ସାରିଥିଲେ। କିନ୍ତୁ ତା’ପୂର୍ବରୁ ଏମିତି ଘଟଣା ଘଟିଗଲା ବୋଲି ମମିତାଙ୍କ ସହଯୋଗୀ ଜଣଙ୍କ କହିଥିଲେ। ସେହିପରି ଗୋବିନ୍ଦ ସାହୁଙ୍କ ସ୍କୁଲ୍ରେ ସେକ୍ସ ସ୍କ୍ୟାଣ୍ଡେଲ କଥା ସହିତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ତାଙ୍କର ଭଲ ସଂପର୍କ ଥିବା କଥା ମଧ୍ୟ ଉଠିଛି। କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ଘଟଣାରେ ସିଧାସଳଖ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିବା ସହିତ ତାଙ୍କୁ ବରଖାସ୍ତ କରି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ବିଜେଡି ପକ୍ଷରୁ କୁହାଯାଇଛି ଯେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଏଥିରେ ଦଳ ପକ୍ଷରୁ କୌଣସି ଚାପ ପ୍ରୟୋଗ କରାଯାଇ ନାହିଁ।




admin 