ନଭେମ୍ବର ୩ରେ ଧାମନଗର ଉପ-ନିର୍ବାଚନ, ୨୫୨ ବୁଥ୍ରେ ଭୋଟ ଦେବେ ୨,୩୮,୩୬୦
ନଭେମ୍ବର ୩ରେ ଧାମନଗର ଉପ-ନିର୍ବାଚନ, ୨୫୨ ବୁଥ୍ରେ ଭୋଟ ଦେବେ ୨,୩୮,୩୬୦
ଭୁବନେଶ୍ବର : ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଶୁକ୍ରବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତମାସ ୧୪ ତାରିଖ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ୧୫ତାରିଖରେ ନାମାଙ୍କନର ଯାଞ୍ଚ କରାଯିବା ସହିତ ୧୭ତାରିଖ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିବସ। ତେବେ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ସେମାନଙ୍କ ଅପରାଧପ୍ରବଣ ସଂପର୍କରେ ଅତିକମ୍ରେ ୩ଥର ଖବରକାଗଜ ଓ ଟିଭି ଜରିଆରେ ପ୍ରଚାରପ୍ରସାର କରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀ ଅପରାଧ ସଂପର୍କରେ ୩ଥର ଗଣମାଧ୍ୟମରେ ସୂଚନା ଦେବେ।
ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଲେ ଯେ ନିର୍ବାଚନ ଆୟୋଗଙ୍କ ଦ୍ବାରା ଉପ-ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ଭଦ୍ରକ ଜିଲ୍ଲା ସହ ସମଗ୍ର ବିଧାନସଭା ମଣ୍ଡଳୀରେ ଆଦର୍ଶ ଆଚରଣବିଧି କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଧାମନଗର ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫୨ଟି ବୁଥ୍ ରହିଛି। ଚଳିତ ଅକ୍ଟୋବର ପହିଲା ସୁଦ୍ଧା ଭୋଟରଙ୍କ ସଂଖ୍ୟା ହେଉଛି ୨,୩୮,୩୬୦। ତହିଁରେ ୧,୨୩,୦୧୩ଜଣ ପୁରୁଷ ଓ ୧,୧୫,୩୧୪ ଜଣ ମହିଳା ଓ ୩୩ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ନିର୍ବାଚନ ମଣ୍ଡଳୀରେ ୪୯୫୬ଜଣ ଦିବ୍ୟାଙ୍ଗ ଭୋଟରଙ୍କ ମଧ୍ୟରୁ ୨୫୩୩ଜଣ ପୁରୁଷ ଓ ୩୭୧୧ଜଣ ମହିଳା। ଏହାସହ ସର୍ଭିସ୍ ଭୋଟରଙ୍କ ସଂଖ୍ୟା ହେଉଛି ୪୫୬। ଗତ ଜାନୁଆରି ୨୦୨୨ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକାର ମଧ୍ୟ ନବୀକରଣ ଜାରି ରହିଛି। ଯେଉଁମାନଙ୍କର ନାମ ଭୋଟର ତାଲିକାରେ ନାହିଁ, ସେମାନେ ମଧ୍ୟ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ବା ଅକ୍ଟୋବର ୧୪ତାରିଖ ସୁଦ୍ଧା ଭୋଟର ତାଲିକାରେ ନାମ ସାମିଲ ପାଇଁ ଆବେଦନ କରିପାରିବେ। ଏହାସହ ତଥ୍ୟ ସଂଶୋଧନ ମଧ୍ୟ ଆବେଦନ ହୋଇପାରିବ।
ଉପ-ନିର୍ବାଚନ ସମୟରେ ଯଦି କୋଭିଡ ସଂକ୍ରମଣ ଥାଏ, ତାହାଲେ ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କୋଭିଡ୍ ନିର୍ଦେଶାବଳୀ ଅନୁଯାୟୀ ନିର୍ବାଚନ କାର୍ୟ୍ୟ ପରିଚାଳନା କରାଯିବ। ୮୦ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗ ଭୋଟର ଯେଉଁମାନେ ଘରେ ରହି ପୋଷ୍ଟାଲ ବାଲଟ ମାଧ୍ୟମରେ ମତଦାନ କରିବାକୁ ଚାହିଁବେ ସେମାନେ ପ୍ରଥମେ ୧୨(ଘ) ଫର୍ମ ପୂରଣ କରି ରିଟର୍ଣ୍ଣିଂ ଅଧିକାରୀଙ୍କୁ ପ୍ରଦାନ କରିବେ। ରିଟର୍ଣ୍ଣିଂ ଅଧିକାରୀ ଏକ ତାଲିକା ପ୍ରସ୍ତୁତ କରି ଭୋଟର ତାଲିକାରେ ଚିହ୍ନଟ କରିବେ ଓ ପରେ ସେମାନଙ୍କୁ ପୋଷ୍ଟାଲ ବାଲାଟ୍ ଯୋଗାଇ ଦିଆଯିବ। ସେମାନେ ଘରେ ରହି ମତଦାନ କରିସାରିବା ପରେ ଉପ-ନିର୍ବାଚନର ଧାର୍ୟ୍ୟ ତାରିଖ ପୂର୍ବରୁ ପୋଷ୍ଟାଲଗୁଡ଼ିକୁ ସଂଗ୍ରହ କରାଯିବ ବୋଲି ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି।




admin 