ନବୀନଙ୍କୁ ସମାଲୋଚନା ମତଦାତାଙ୍କ ପ୍ରତି ଅପମାନ: ଶଶିଭୂଷଣ
ନବୀନଙ୍କୁ ସମାଲୋଚନା ମତଦାତାଙ୍କ ପ୍ରତି ଅପମାନ: ଶଶିଭୂଷଣ
admin
Aug 11, 2019 - 12:11
Updated: Aug 11, 2019 - 12:11
ଭୁବନେଶ୍ୱର: ୫ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ଅର୍ଥ ମତଦାତାଙ୍କୁ ଅପମାନିତ କରିବା । ଏହା କହିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା । ଓଡ଼ିଶା ଗସ୍ତରେ ଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପ୍ରସଙ୍ଗରେ ଶ୍ରୀ ବେହେରା ଏହା କହିଛନ୍ତି ।
ଶ୍ରୀ ବେହେରା କହିଛନ୍ତିି ଯେ, ଓଡ଼ିଶା ସମସ୍ୟାରେ ଶିବରାଜ ମୁଣ୍ଡ ପୁରାଇବା କେତେ ଯୁକ୍ତିଯୁକ୍ତ ତାହା ବିଚାର କରିବା ଆବଶ୍ୟକ । କାଳିଆକୁ ପଞ୍ଚ ଦଶ କମିଶନ ଓ ବହୁ ଅର୍ଥନୀତିଜ୍ଞ ପ୍ରଶଂସା କରିଛନ୍ତି । ଚାଷୀଙ୍କ ହିତ ପାଇଁ ଉଦ୍ଧିଷ୍ଟ କାଳିଆ ଯୋଜନାକୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଜଳ ସେଚନ ସମସ୍ୟା ଉପରେ ଆପତ୍ତି ଉଠାଇବା ଅଯୌକ୍ତିକ । ରାଜ୍ୟ ସରକାରଙ୍କ ନାମରେ ଶିବରାଜ ମନଗଢ଼ା ଅଭିଯୋଗ କରିଛନ୍ତି । ବିଜେଡିର ଏକ ଜାତୀୟ ଅଭିମୁଖ୍ୟ ରହିଛି । ଦେଶର ସ୍ୱାର୍ଥ ଦୃଷ୍ଟିରୁ ବିଜେପି ସହ ବିଜେଡିର ସମ୍ପର୍କ କିଛି ମନ୍ଦ ନୁହେଁ ବୋଲି ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ।
ପ୍ରକାଶ ଯେ, ଓଡ଼ିଶା ଗସ୍ତରେ ଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ସେ କହିଥିଲେ ଯେ, ଆୟୁଷ୍ମାନ ଯୋଜନା ଲାଗୁ ନକରି କାଳିଆ ଟଙ୍କା ବାଣ୍ଟିବା ଅପରାଗତାର ପରିଚୟ । ରାଜ୍ୟର ବିଧିବଦ୍ଧ ବିକାଶ ପାଇଁ କୌଣସି ରୋଡ ମ୍ୟାପ ପ୍ରସ୍ତୁତ ହୋଇନାହିଁ । ଏହି ଅବସରରେ ଶ୍ୱେତପତ୍ର ଜରିଆରେ ରାଜ୍ୟର ଚାଷୀଙ୍କ ତାଲିକା ପ୍ରକାଶ କରିବା ପାଇଁ ଶ୍ରୀ ଚୌହାନ ଦାବି କରିଥିଳେ । ଆୟୁଷ୍ମାନ ଯୋଜନାରେ ଚାଷୀଙ୍କୁ ସାମିଲ କରିବା ପାଇଁ ତୁରନ୍ତ ତାଲିକା ମଧ୍ୟ ଦେବାକୁ ସେ ଦାବି କରିଥିଲେ । ଆୟୁଷ୍ମାନ ଯୋଜନାରେ ଓଡ଼ିଶା ସାମିଲ ହେଲେ ବିକାଶ ସୁନିଶ୍ଚିତ ବୋଲି ସେ କହିଥିଲେ ।
ସେହିପରି କେନ୍ଦ୍ରରେ ବିଜେପିକୁ ବିଜେଡିର ସହଯୋଗ ନେଇ ନିଜ ପ୍ରତିକ୍ରିୟା ରଖି ଶ୍ରୀ ଚେହାନ କହିଥିଲେ ଯେ, ବିଜେଡି କେବଳ ରାଜନୈତିକ ସହଯୋଗ କରୁଛି । ଅନ୍ୟ କିଛି ସମ୍ପର୍କ ନାହିଁ । ଓଡ଼ିଶାରେ ବିଜେପି ଏକାକୀ ଲଢିବ ଓ ସରକାର ଗଢିବ ବୋଲି ସେ କହିଥିଲେ ।
ଏହାଛଡ଼ା ପାଣି ବିନିଯୋଗ ନହୋଇ ସମୁଦ୍ରକୁ ଯାଉଛି । ବ୍ୟବହାର ଉପଯୋଗୀ ହୋଇପାରୁନି । ରାଜ୍ୟ ସରକାର ଚାଷକୁ ପର୍ୟ୍ୟାପ୍ତ ଜଳସେଚିତ କରିବାରେ ବିଫଳ ହୋଇଛନ୍ତି । ଏପରି ହେଲେ ଚାଷୀକୁଳର ବିକାଶ କିପରି ହେବ ବୋଲି ଶିରାଜ ପ୍ରଶ୍ନ କରିଥିଲେ ।