ଦଳଡ଼ିଆଁ ରାଜନୀତି ସ୍ୱାର୍ଥ ଆଗରେ ବନ୍ଧା ପଡ଼ିଛି ଦଳୀୟ ନୀତି ଓ ଆଦର୍ଶ
ଦଳଡ଼ିଆଁ ରାଜନୀତି ସ୍ୱାର୍ଥ ଆଗରେ ବନ୍ଧା ପଡ଼ିଛି ଦଳୀୟ ନୀତି ଓ ଆଦର୍ଶ
admin
Apr 17, 2019 - 08:39
Updated: Apr 17, 2019 - 08:39
ଭଦ୍ରକ : ଚଳିତ ନିର୍ବାଚନର ଅବ୍ୟବହିତି ପୂର୍ବରୁ ଦଳଡ଼ିଆଁ ରାଜନୀତି ଚରମ ସୀମରେ ପହଂଚିିଛି । ଆଜିକା ଦିନରେ ମଧ୍ୟ ଏହି ପ୍ରକ୍ରିୟା ଜାରୀ ରହିଛି । ପୂର୍ବରୁ କୌଣସି ନିର୍ବାଚନ ସମୟରେ ଏପରି କେବେ ଦେଖିବାକୁ ମିଳିନଥିଲା । ହେଭିୱେଟ ନେତାଙ୍କ ଠାରୁ ଆରମ୍ଭ କରି ପଂଚାୟତ ଓ ୱାର୍ଡ଼ସ୍ତରୀୟ କର୍ମୀ ଓ ନେତାଙ୍କ ପର୍ଯ୍ୟନ୍ତ ଏଥିରେ ସାମିଲ ହୋଇଛନ୍ତି । ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ସେମାନେ ସବୁକିଛି ଭୂଲି ଯାଇଛନ୍ତି । ଦୀର୍ଘବର୍ଷ ଧରି ଗୋଟିଏ ଗୋଟିଏ ନିର୍ଦ୍ଧିଷ୍ଟ ରାଜନୈତିକ ଦଳରେ ରହି ନିଜର ପରିଚୟ ସୃଷ୍ଟି କରିଥିଲେ । ଏହି ସମୟ ମଧ୍ୟରେ ସେମାନେ ନିଜକୁ ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ କରିବା ସହ ଅର୍ଥ, କ୍ଷମତା ସବୁକିଛି ପାଇଥିଲେ । କିନ୍ତୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ଆଂଚ ଆସିବାର ସମ୍ଭାବନା ଆଶଙ୍କା କରି ସେମାନେ ଦଳଡ଼ିଆଁ ରାଜନୀତିର ସାହାରା ଦେଇଛନ୍ତି । ରାଜନୀତିର ମୂଲ୍ୟବୋଧ, ଦଳୀୟ ଆଦର୍ଶ ସେମାନଙ୍କ ପାଇଁ ମୂଲ୍ୟହୀନ ସାବ୍ୟସ୍ତ ହୋଇଛି । ଦଳ ବଦଳ କରି ସେମାନେ ପରୋକ୍ଷରେ ସ୍ପଷ୍ଟ କରିଦେଇଛନ୍ତିଯେ ରାଜନୈତିକ, ବ୍ୟକ୍ତିଗତ, ବୃତିଗତ ଓ ବ୍ୟବସାୟିକ ସ୍ୱାର୍ଥ ଆଗରେ ନୀତି ଓ ଆଦର୍ଶର କିଛି ମାନେ ନାହିଁ । ଅବଶ୍ୟ ସେମାନଙ୍କ ମଧ୍ୟରୁ ଆଉ କିଛି ଦଳୀୟ ନିଷ୍ପତିରେ ଅସନ୍ତୁଷ୍ଟ ହୋଇ ଓ କେତେକ ନିଜ ରାଜନୈତିକ ଗୁରୁଙ୍କ ନିକଟରେ ଆନୁଗତ୍ୟ ପ୍ରଦର୍ଶନ କରି ଦଳ ବଦଳ କରିଛନ୍ତି । ଉଦ୍ଦେଶ୍ୟ ହେଉଛି ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଶୋଧ ନେବା । ତେବେ ଭଦ୍ରକ ଜିଲ୍ଲାରେ ଦଳ ଡ଼େଇଁଥିବା ରାଜନେତାମାନଙ୍କୁ ନେଇ ବିଭିନ୍ନସ୍ତରରେ ଚର୍ଚ୍ଚା ଜୋର ଧରିଥିବାବେଳେ, ମତଦାତାମାନେ ଏହାକୁ କିଭଳି ଭାବେ ଗ୍ରହଣ କରୁଛନ୍ତି ତାହା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅବଶ୍ୟ ଜଣାପଡ଼ିବ ।ଦଳବଦଳ କରିଥିବା ନେତାମାନଙ୍କ ମଧ୍ୟରୁ ଯେଉଁମାନଙ୍କ ନାମକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ସେମାନେ ହେଲେ କଂଗ୍ରେସର ହେଭିୱେଟ ମାଧବାନନ୍ଦ ମଲ୍ଲିକ ଓ ଦୀର୍ଘବର୍ଷ ଧରି ବିଜେଡ଼ିର ଜିଲ୍ଲା ମୁଖ୍ୟ ସାଂସଦ ଅର୍ଜୁନ ଚରଣ ସେଠୀ । ପ୍ରାୟ ୭ମାସ ପୂର୍ବେ ମାଧ କଂଗ୍ରେସ ତ୍ୟାଗ କରି ବିଜେପିରେ ଯୋଗଦେଇଥିଲେ । ସେ ପୂର୍ବରୁ ଲଗାତର ଦଳୀୟ ଟିକେଟରୁ ବାସୁଦେବପୁର ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ଲଢ଼ି ପରାସ୍ତ ହୋଇଥିଲେ । ତେଣୁ ଏଥର ତାଙ୍କୁ ଟିକେଟ ମିଳିନପାରେ ବୋଲି ଆଲୋଚନା ହେଉଥିଲା । ବାସୁଦେବପୁରର ପୈରାଧ୍ୟକ୍ଷ ଅଶୋକ ଦାସ ଜିଲ୍ଲା କଂଗ୍ରେସ ସଭାପତି ମନୋନୀତ ହେବାପରେ ମାଧଙ୍କ ଟିକେଟ ପାଇବା ନେଇ ଆଶଙ୍କା ଦ୍ୱିଗୁଣିତ ହୋଇଥିଲା । ତେଣୁ ସେ ବିଜେପିରେ ଯୋଗଦେବା ସହ ଦଳୀୟ ଟିକେଟ ହାତେଇବାକୁ ସକ୍ଷମ ହୋଇଛନ୍ତି । ସାଂସଦ ଅର୍ଜୁନ ବାବୁ ଥିଲେ ଜିଲ୍ଲା ବିଜେଡ଼ିର ମୁରବୀ । ଦୀର୍ଘ ବର୍ଷ ଧରି ସେ ଦଳର ଜିଲ୍ଲା ସଭାପତି ଥିଲେ । ୭ଥର ସେ ଜନତା ଦଳ ଓ ବିଜେଡ଼ି ଟିକେଟରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ଚଳିତ ଥର ସେ ବୟସାଧିକ୍ୟ କାରଣ ପାଇଁ ନିର୍ବାଚନ ନଲଢ଼ି ନିଜ ପୁତ୍ର ଅଭିମନ୍ୟୁଙ୍କୁ ଏହି ଆସନରୁ ପ୍ରାର୍ଥୀ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଦଳର ସୁପ୍ରିମୋ ତାଙ୍କୁ ପ୍ରାର୍ଥୀ କରିନଥିଲା । ତେଣୁ ପୁଅକୁ ସାଂସଦ କରିବାକୁ ତାଙ୍କର ଏକମାତ୍ର ଇଛା ପୂରଣ କରିବାକୁ ଯାଇ ଅର୍ଜୁନ ବିଜେପିକୁ ଡ଼େଇଁବା ସହ ପୁଅକୁ ସାଂସଦ ଟିକେଟ ଦେବାରେ ସକ୍ଷମ ହେଲେ । ଅର୍ଜୁନଙ୍କର ଅତ୍ୟନ୍ତ ଅନୁଗତ ଚାନ୍ଦବାଲି ଅଞ୍ଚଳର ପ୍ରଭାବୀ ବିଜେଡ଼ି ନେତା ପ୍ରତାପ ଧଳ, ବନ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଦେବେନ୍ଦ୍ର ଯେନା, ଯୁବବିଜେଡ଼ି ଜିଲ୍ଲା ସଭାପତି ଦୁର୍ଗା ଦାସ ମଧ୍ୟ ତାଙ୍କର ପଦାଙ୍କ ଅନୁସରଣ କରି ବିଜେପିରେ ଇତିମଧ୍ୟରେ ଯୋଗଦେଇଛନ୍ତି । ସେହିପରି ରାଜ୍ୟ କଂଗ୍ରେସ ମହିଳା ସଭାନେତ୍ରୀ ସୁମିତ୍ରା ଜେନା ଭଦ୍ରକ ଆସନରୁ ପ୍ରାର୍ଥୀ ହେବାକୁ ଇଛା କରି ବିଫଳ ହେବାପରେ ବିଜେଡ଼ିରେ ଯୋଗଦେଇଛନ୍ତି । ଭଣ୍ଡାରିପୋଖରୀର ଜଣେ ଟାଣୁଆ ଯୁବନେତା ଉଦୟ ନନ୍ଦ ଇତିମଧ୍ୟରେ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି । ଦଳୀୟ ଟିକେଟ ଆଶାରେ ପଡ଼ି ରହିଥିବା ଉଦୟ ଏଥର ବିଜେଡ଼ି ଟିକେଟ ପାଇଁ ଆଶାୟୀ ଥିଲେ । କିନ୍ତୁ ତାହା ପୂରଣ ହେଲା ନାହିଁ । ସେହି ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହେବାକୁ ଟିକେଟ ଦୌଡ଼ରେ ରହି ହାରି ଯାଇଛନ୍ତି ସୁଜାତା ଜେନା । ତେଣୁ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ଯାଇ ବିଜେଡ଼ିରେ ଯୋଗଦେଇଛନ୍ତି । ଚାନ୍ଦବାଲି ଆସନ ପାଇଁ ଟିକେଟ ଆଶାୟୀ ସଂଗ୍ରମା ରାଉତ୍ ବିଜେଡ଼ି ଟିକେଟ ନପାଇ ବିଜେପିକୁ ଯାଇଥିବାବେଳେ, ପିସିସି ସମ୍ପାଦକ ସତ୍ୟାନନ୍ଦ ରାଉତ୍ ଦଳରୁ ଇସ୍ତଫା ଦେଇଛନ୍ତି । ଅବଶ୍ୟ ସେ କୌଣସି ଦଳରେ ଯୋଗଦେଇ ନାହାନ୍ତି । କଂଗ୍ରେସରୁ ସାଂସଦ ପଦର ଟିକେଟ ଆଶାୟୀ ପ୍ରାକ୍ତନ ସାଂସଦ ଧାମନଗର ଅଂଚଳର ମୁରଲିଧର ଯେନା ଏବେ ବିଏସପି ଟିକେଟର ଏମପି ପଦ ପାଇଁ ଲଢ଼ୁଛନ୍ତି । ତେବେ ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ଶାସକ ବିଜେଡ଼ି ଦଳର ଟିକେଟ ଘୋଷଣା ପରେ ବଡ଼ଧରଣର ଦଳ ଡ଼ିଆଁ ରାଜନୀତି ଦେଖିବାକୁ ମିଳିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ଅନୁମାନ ଳଗାଇଥିଳେ । କିନ୍ତୁ ସେପରି କିଛି ଘଟି ନାହିଁ । କୌଣସି ହେଭିୱେଟ ଦଳ ବଦଳ କରିନଥିଲେ ମଧ୍ୟ ବହୁ ସଂଖ୍ୟକ ପଂଚାୟତ ଓ ୱାର୍ଡ଼ସ୍ତରୀୟ ନେତା ଇତିମଧ୍ୟରେ ଦଳବଦଳ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ବୁଲୁଙ୍କୁ ଟିକେଟ ନମିଳିବାରୁ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲେ ମଧ୍ୟ ଏହା ପ୍ରଶମିତ ହୋଇଯାଇଛି । କିନ୍ତୁ ଦଳର ଏହି ନିଷ୍ପତିକୁ ହଜମ କରିନପାରି ଦଳର ବରିଷ୍ଠ ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ପାଢ଼ୀ ଦଳ ଛାଡ଼ି ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସର ପ୍ରାକ୍ତନ କାଉନସିଲର ସସ୍ମିତା ପାଲ, ଅଶୋକ ମହାପାତ୍ର, କାଉନସିଲର ପ୍ରାର୍ଥୀ ଜିତୁ ଦାସ, ପ୍ରାକ୍ତନ ସରପଂଚ ରତ୍ନାକର ସାମଲଙ୍କ ସମେତ ବହୁ ପଂଚାୟତ ସ୍ତରୀୟ ନେତା ଇତିମଧ୍ୟରେ ବିଜେଡ଼ିର ଭଦ୍ରକ ଆସନ ପାଇଁ ବିଧାୟକ ପ୍ରାର୍ଥୀ ସଂଜୀବଙ୍କ ନିକଟରେ ସମ୍ମୁଖରେ ଦଳରେ ଯୋଗଦେଇଛନ୍ତି । ଏତିକିରେ ସରିନି ଦଳଡ଼ିଆଁ । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରୀ ରହିବ ବୋଲି ଅନୁମାନ କରାଯାଉଛି । ତେବେ ଏହି ଦଳବଦଳ ରାଜନୀତି ନିୀର୍ବାଚନୀ ଫଳାଫଳକୁ କପରି ପ୍ରଭାବିତ କରିବ ଓ ଭବିଷ୍ୟତରେ ଏହି ଦଳ ଛାଡ଼ିଥିବା ନେତାମାନଙ୍କର ଅର୍ନ୍ତନିହିତ ସ୍ୱାର୍ଥ ପୂରଣ ହେଉଚି କି ନାହିଁ ତାହା ଦେଖିବାକୁ ବାକି ରହିଲା ।