ଦୁର୍ଘଟଣାରେ ଆହତଙ୍କ ପାଇଁ ଏଣିକି ଏୟାର ଆମ୍ବୁଲାନ୍ସ
ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ଗୁରୁତର ହେଉଥିବା ଲୋକଙ୍କୁ ଗୋଲଡେ଼ନ ଆୱାରରେ ଟ୍ରମା କେୟାର ଚିକିତ୍ସା ମିଳୁନଥିବାରୁ ବହୁ ଲୋକଙ୍କର ମୃତ୍ୟୁ ହେଉଛି । ଏପରିକି ଟ୍ରାଫିକ ଜାମ ଯୋଗୁଁ ପୀଡ଼ିତାଙ୍କୁ ହସ୍ପିଟାଲ ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ଅଧା ବାଟରେ ଆହତଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଏହାକୁ ନଜରରେ ରଖି ରାଜ୍ୟସରକାର ‘ହେଲିକପ୍ଟର ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା’ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି । ଏଥିରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ହେଲିକପ୍ଟର ସାହାର୍ଯ୍ୟରେ ଦୁର୍ଘଟଣାସ୍ଥଳରୁ ହସ୍ପିଟାଲ ଅଣାଯିବ ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଡ଼ାକ୍ତରମାନେ ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାକୁ ଯାଇ ରୋଗୀ ସେବା କରୁଥିବାବେଳେ ଖୁବ୍ ଶୀଘ୍ର ଏହି ଯୋଜନାରେ ଗୁରୁତର ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି । ଏହାସହ ତାଳ ଦେଇ ହେଲିକପ୍ଟର ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଆରମ୍ଭ ହେବ । କେଉଁ ଗୁରୁତର ଆହତଙ୍କୁ ହେଲିକପ୍ଟରରେ କେଉଁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ସେନେଇ କ୍ଷେତ୍ରସ୍ତରୀୟ ଟିମ୍ ନିଷ୍ପତ୍ତି ନେବେ । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ଅଞ୍ଚଳରେ ହେଲିକପ୍ଟର ମୁତୟନ କରିବେ । ଦୁର୍ଘଟଣାରେ ଗୁରୁତରଙ୍କୁ ଆବଶ୍ୟକସ୍ଥଳେ ନିକଟସ୍ଥ ହସ୍ପିଟାଲରେ ଆଶୁ ଚିକିତ୍ସା ଦିଆଯିବା ସହ ତୁରନ୍ତ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯିବ ।
ଯୋଜନା ସଫଳ ହେଲେ ଏହା ଗେମ୍ ଚେଞ୍ଜର ହେବ ବୋଲି ସଡକ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏବେ ୧୮ଟି ଟ୍ରମା କେୟାର ଚିକିତ୍ସା ଥିବା ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାର ଚୁକ୍ତି କରିଥିବାବେଳେ ଏଠାକୁ ଯେପରି ଦୁର୍ଘଟଣାରେ ଆହତଙ୍କୁ ସ୍ଥାନାନ୍ତର କରାଯିବ ସେନେଇ ପଦକ୍ଷେପ ନିଆଯିବ । ରାଜ୍ୟରେ ପରିହବନ ଭିତ୍ତିଭୂମି ସୁଦୃଢ଼ କରିବା ସହ ସମସ୍ତଙ୍କୁ ଯେପରି ଗୁଣାତ୍ମକ ପରିବହନ ସେବା ମିଳିବ ସେଥିପାଇଁ ପରିବହନ ବିଭାଗ (ଲୋକେସନ୍ ଆସେସିବଲ୍ ମଲ୍ଟିମୋଡାଲ୍ ଇନିସିଏଟିଭ୍) ‘ଲାକମି’ ଯୋଜନା ଆରମ୍ଭ କରିବାକୁ ଯାଉଛି । ଏହା ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହେବ । ଏହି ‘ଲାକମି’ ଯୋଜନାରେ ଆଗାମୀ ଦିନରେ କି କି ପଦକ୍ଷେପ ନିଆଯିବ ସେନେଇ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୧୦ବର୍ଷ ପର୍ଯ୍ୟନ୍ତ ଯେପରି ଲାକମି ଯୋଜନା କାର୍ଯ୍ୟକ୍ଷମ ହେବ ତାହାକୁ ନଜରରେ ରଖି ସମସ୍ତ ପଦକ୍ଷେପ ନିଆଯିବ ।
ଏହି ବୈଠକରୁ ଜଣାପଡିଛି ଯେ ଅନ୍ତଃ ବ୍ଲକ, ଅନ୍ତଃ ଜିଲ୍ଲା, ଅନ୍ତଃ ସହର ବସ୍ ସେବାକୁ ଗୁରୁତ୍ୱ ଦିଆଯିବ । ଅକ୍ଟୋବର ୨ରୁ ପ୍ରତି ଗ୍ରାମ ପଞ୍ଚାୟତକୁ ବସ୍ ସେବା ପର୍ଯ୍ୟାୟ ଭିତ୍ତିରେ ଆରମ୍ଭ ହେବ । ଜାନୁଆରି, ୨୦୨୪ ସୁଦ୍ଧା ଏହି ବସ୍ ସେବା ସାରା ରାଜ୍ୟରେ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ଓଏସଆରଟିସି ବସ୍ କିଣିବା ସହ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁହାଯାଇଛି । ଆବଶ୍ୟକସ୍ଥଳେ ପିପିପି ମୋଡରେ ଏହି ବସ୍ ସେବା ଯୋଗାଯିବ । ଏନେଇ ଡିପିଆର୍ ପ୍ରସ୍ତୁତ କରିବାକୁ ଓଏସଆରଟିସିକୁ କୁହାଯାଇଛି ।




admin 