ଟମାଟୋ ଆକାଶ ଛୁଇଁଲା

ଟମାଟୋ ଆକାଶ ଛୁଇଁଲା

ଟମାଟୋ ଆକାଶ ଛୁଇଁଲା

ଭୁବନେଶ୍ୱର : ଆଗକୁ ସମ୍ଭାବ୍ୟ ବାତ୍ୟା। ଏହା ପୂର୍ବରୁ ହାଣ୍ଡିଶାଳରେ ନିଆଁ ଲଗାଇଛି ଟମାଟୋ ଦର। ଅଚାନକ ଟମାଟୋର ଅହେତୁକ ମୂଲ୍ୟବୃଦ୍ଧି ପରିବା ବଜାରକୁ ଘାଣ୍ଟି ପକାଇଛି। ଲଗାତର କୃଷିକର୍ମଣ ପୁରସ୍କାର ପାଉଥିବା କୃଷିପ୍ରଧାନ ରାଜ୍ୟ ଓଡ଼ିଶାରେ କେତେବେଳେ ଲେମ୍ବୁକୁ ନେଇ ଦର ରକେଟ୍‌ ଭଳି ଉପରକୁ ଉଠୁଛି ତ’ ଆଉ କେବେ ଆଳୁ ଓ ପିଆଜ ଆଦି ହାଟରେ ଅଗ୍ନି ସଂଯୋଗ କରୁଛି। ଟମାଟୋର ଦର ଏବେ ଅତର୍କିତ ଏମିତି ବଢିଛି ଯେ, ତାକୁ କିଣିବା ଦୂରେ ଥାଉ ଛୁଇଁ ହେଉନି। ଭୁବନେଶ୍ୱର ଓ କଟକରେ ଟମାଟୋ ଦର ଏବେ ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ରାଜ୍ୟର ଅନ୍ୟାନ୍ୟ ସହର ଓ ଗ୍ରାମାଞ୍ଚଳରେ ଟମାଟୋ କିଲୋ ୬୫ରୁ ୭୫ ଟଙ୍କା ଭିତରେ ରହିଛି। ଟମାଟୋ ନିତିଦିନିଆ ଆବଶ୍ୟକ ପରିବା ହୋଇଥିବାରୁ ଦର ବୃଦ୍ଧି ଖାଉଟିଙ୍କୁ ବେଶ୍‌ ବାଧୁଛି। ଗୋଟିଏ ସପ୍ତାହ ଆଗରୁ ରାଜଧାନୀରେ ଟମାଟୋ ଦର କିଲୋପ୍ରତି ୩୦ରୁ ୪୦ ଟଙ୍କା ଭିତରେ ରହିଥିଲା। ହଠାତ୍ ଦର ଦୁଇ ଗୁଣରୁ ଅଧିକ ବଢ଼ିଯିବାରୁ ଗ୍ରାହକଙ୍କ ପରିବା ବ୍ୟାଗରୁ ଟମାଟୋ ଏକପ୍ରକାର ଉଭାନ ହୋଇଯାଇଛି।

ଗତ ମାର୍ଚ୍ଚରେ ଓଡିଶାର ଚାଷୀ ଟମାଟୋ ଅମଳ ସମୟରେ ବଜାରରେ କିଲୋ ପିଛା ଦୁଇ ଟଙ୍କା ଦରରେ ବିକ୍ରି ହେଉଥିଲା। ଅଭାବୀ ବିକ୍ରିର ଶିକାର ହୋଇ ଚାଷୀ ଟମାଟୋ ଟ୍ରେ ପିଛା ୨୫ରୁ ୩୦ ଟଙ୍କାରେ ବିକ୍ରି କରୁଥିଲେ। ହେଲେ ଦୁଇ ମାସ ହୋଇନି, ସ୍ଥିତି ଓଲଟି ଯାଇଛି। ଏବେ ଟମାଟୋ ମହଙ୍ଗା ମାଡ ପ୍ରତି ପରିବାରର ମାସିକ ବଜେଟ ଉପରେ ପ୍ରଭାବ ପକାଇଛି । ଅନ୍ୟ ପରିବା ଦର ମଧ୍ୟ ବଢ଼ି ବଢ଼ି ଚାଲିଛି।