ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ବଡ ଖବର, ଜାଣନ୍ତୁ କ’ଣ
ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତୁ୍ୟପରେ ଖାଲିପଡ଼ିଥିବା ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଆସନ୍ତା ମଇ ୧୦ରେ ଏନେଇ ଉପନିର୍ବାଚନ ହେବ । ଏନେଇ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୂଚନା ଅନୁଯାୟୀ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏପ୍ରିଲ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରାଯିବ । ୨୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବାକୁ ଥିବାବେଳେ ୨୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିହେବ । ମେ ୧୦ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ମେ ୧୩ରେ ଭୋଟ ଗଣତି କରାଯିବା ନେଇ ଦିନ ଧାର୍ଯ୍ୟ କରାଯାଇଛି ।
ତେବେ ଆଗକୁ ୨୦୨୪ ନିର୍ବାଚନ । ଏହାକୁ ଫାଇନାଲ ମ୍ୟାଚ କହିଲେ, ଝାରସୁଗୁଡ଼ା ଉନନିର୍ବାଚନକୁ ସେମିଫାଇନାଲ କୁହାଯାଇପାରେ । କାରଣ ଏହି ଉପନିର୍ବାଚନ ରାଜନୈତିକ ମହଲରେ ରୋଚକ ମୋଡ଼ ଆଣିପାରେ । ତେବେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତପôରତା ପ୍ରକାଶ ପାଇଛି ।
୨୦୧୯ ସାଧାରଣ ନିର୍ବାଚନ ପରେ ଓଡ଼ିଶାର ଷୋଡ଼ଶ ବିଧାନସଭା ଗଠିତ ହୋଇଥିଲା। ଏହାର କାର୍ୟ୍ୟକାଳ ଶେଷ ହେବାକୁ ବର୍ଷେରୁ ଅଧିକ ସମୟ ବାକି ଥିବାରୁ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଥିଲା। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୬ ମାସରୁ ଅଧିକ ଧରି କୌଣସି ବିଧାନସଭା ଆସନକୁ ଖାଲି ରଖାଯାଇ ପାରିବନାହିଁ।




admin 