ଜାଣନ୍ତୁ କାହିଁକି ଲକ୍ଷ୍ମୀ ଠାକୁରାଣୀ ଅସୁସ୍ଥ

ଜାଣନ୍ତୁ କାହିଁକି ଲକ୍ଷ୍ମୀ ଠାକୁରାଣୀ ଅସୁସ୍ଥ

ଜାଣନ୍ତୁ କାହିଁକି ଲକ୍ଷ୍ମୀ ଠାକୁରାଣୀ ଅସୁସ୍ଥ
ପୁରୀ: ଦକ୍ଷିଣ ଘରେ ବିଜେ ମା’ଲକ୍ଷ୍ମୀ ଠାକୁରାଣୀ (ଶ୍ରୀ ଦେବୀ) ଅସୁସ୍ଥ ହୋଇ ପଡ଼ିଥିଲେ । ଗତ ଗୁରୁବାର ମାଜଣା ନୀତି ସରି ମାଜଣା ମଣ୍ଡପରୁ ଫେରିବା ବାଟରେ ଲକ୍ଷ୍ମୀ ଠାକୁରାଣୀ ସେବକଙ୍କ ହାତରୁ ତଳେ ପଡ଼ି ଯାଇଥିଲେ । ମାଜଣା ମଣ୍ଡପରୁ ଫେରିବା ବାଟରେ ସେବକ ଝୁଣ୍ଟି ପଡ଼ିବାରୁ ମା’ଙ୍କ ପ୍ରତିମା ତଳେ ପଡ଼ି ଆହତ ହୋଇଥିଲେ । ଶ୍ରୀଅଙ୍ଗ ପିଠିର ବାମ କଡ଼ରେ କ୍ଷତ ହୋଇଥିଲା । ଏହି ଘଟଣା ଗୁରୁବାର ମାଜଣା ବିଧି ବେଳେ ପଦାକୁ ଆସିଥିଲା । ଲକ୍ଷ୍ମୀଠାକୁରାଣୀଙ୍କ ଶ୍ରୀଅଙ୍ଗରେ ଓଷ ଲାଗି ପାଇଁ ଶୁଦ୍ଧ ସୁଆରଙ୍କଠାରୁ ଓଷ ଆସିଥିଲା । ଓଷ ଲାଗି ପାରେ ମାଜଣା ନୀତି ସମ୍ପାଦନ ହୋଇଥିଲା । ଓଷ ଲାଗି ଆଉ ମାଜଣା ନୀତି ପରେ ଭୁଦେବୀ (ସରସ୍ୱତୀ) ଓ ଶ୍ରୀ ଦେବୀ ରତ୍ନ ସିଂହାସନକୁ ଫେରିଥିଲେ । ଏହା ପରେ ଶ୍ରୀମନ୍ଦିର ଅନ୍ୟ ନୀତି ସମ୍ପନ୍ନ ହୋଇଥିଲା । ଓଷ ଲାଗିରେ ପାଞ୍ଚ ମହାଜନ ସେବକ ଏବଂ ଅନ୍ୟ ସେବାୟତମାନେ ପରମ୍ପରା ମୁତାବକ ନିୟୋଜିତ ହୋଇଥିଲେ । ଓଷ ଲାଗି ନେଇ ଶ୍ରୀମନ୍ଦିର କମାଣ୍ଡର କହିଛନ୍ତି ନିୟମିତ ବର୍ଷେ ଦୁଇ ବର୍ଷ ବ୍ୟବଧାନରେ ମା’ଙ୍କ ଶ୍ରୀଅଙ୍ଗରେ ଓଷ ଲାଗି ହୁଏ । ଏହା ନିୟମିତ ଓଷ ଲାଗି । ଗତ ଗୁରୁବାର ଲକ୍ଷ୍ମୀ ଠାକୁରାଣୀ ତଳେ ପଡ଼ି ଶ୍ରୀଅଙ୍ଗରେ ଆଘାତ ଲାଗିଥିବା ଘଟଣା ସେମିତି କିଛି ନୁହେଁ ବୋଲି କହି ଏଡ଼ାଇ ଯାଇଥିଲେ । ଓଷଲାଗି ବେଳେ ଉପସ୍ଥିତ ସେବାୟତମାନେ କହିଛନ୍ତି ମା’ଙ୍କ ପିଠିର ବାମ ପାଖରେ ଆଘାତ ଲାଗିଥିଲା । ଦାରୁ ମୂର୍ତ୍ତି ଉପରେ ଦିଆଯାଇଥିବା ସୁବର୍ଣ୍ଣ ଛାଉଣୀ ଫାଟି ଯାଇଥିଲା । ଏହି କ୍ଷତରେ ଓଷ ଦେବାକୁ ଦୀର୍ଘ ଅଢେ଼ଇ ଘଣ୍ଟା ଲାଗିଥିଲା । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀଅଙ୍ଗରେ ଏହା ପୂର୍ବରୁ ଏକାଧିକ କ୍ଷତ ରହିଥିବାର ମହାଜନ ନିଯୋଗ ଚିଠିରେ ସୂଚନା ରହିଛି ।