ଚୋରକୁ ଧରିଲେ, ହଜାରେ ଟଙ୍କା ଦେଇ ଛାଡ଼ିଲେ

ଚୋରକୁ ଧରିଲେ, ହଜାରେ ଟଙ୍କା ଦେଇ ଛାଡ଼ିଲେ

ଚୋରକୁ ଧରିଲେ, ହଜାରେ ଟଙ୍କା ଦେଇ ଛାଡ଼ିଲେ

ଚନ୍ଦ୍ରଶେଖରପୁର : ଚୋରକୁ ଦୟା। ଧରିଲେ, ପୁଣି ହଜାରେ ଟଙ୍କା ଦେଇ ଛାଡ଼ିଲେ। ଏମିତି ଏକ ରୋଚକ ଘଟଣା ଘଟିଛି ରାଜଧୀନ ଭୁବନେଶ୍ବରରେ। ରୋଷେଇ ଘରେ ପଶିଥିବା ଚୋରକୁ କାବୁ କଲେ। ମାତ୍ର ତା’ର ଅଭାବୀ ସଂସାର କଥା ଶୁଣିବା ପରେ ଗୃହ ମାଲିକଙ୍କ ମନରେ ଦୟା ହେଲା। ନିଜେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ହୋଇଥିବାରୁ ରୋଷେଇ ଘରୁ ଖାଦ୍ୟ ସାମଗ୍ରୀ ଚୋରି କରୁଥିବା ବ୍ୟକ୍ତିକୁ ପୁଲିସ ଜିମା ଦେଲେ ନାହିଁ। ପେଟ ବିକଳରେ ପିଲାଛୁଆଙ୍କ ପାଇଁ ଚୋରି କରିବାକୁ ଆସିଥିବା ବ୍ୟକ୍ତିକୁ ପାଲଟା ହଜାରେ ଟଙ୍କା ଦେଇ ଛାଡ଼ିଦେଲେ। ଭୋର୍ ସମୟରେ ପ୍ରଶାନ୍ତବିହାରରେ ଘଟିଥିବା ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ପ୍ରଶାନ୍ତବିହାର ଅଞ୍ଚଳରେ ରହୁଥିବା ନରୋତ୍ତମ ଧଳ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ।  ଭୋର ସମୟରେ ଜଣେ ଯୁବକ ତାଙ୍କ ରୋଷେଇ ଘର ଝରକା ଗ୍ରିଲ ଭାଙ୍ଗି ପଶିଥିଲା ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ବ୍ୟାଗରେ ଭର୍ତ୍ତି କରିଥିଲା । ତେବେ କୌଶଳକ୍ରମେ ନରୋତ୍ତମ ତାକୁ କାବୁ କରିନେଇଥିଲେ । ମାତ୍ର ଧରାପଡ଼ିବା ମାତ୍ରେ ଯୁବକ ଜଣକ କାନ୍ଦି ଥିଲା । ନିଜର ଦାରିଦ୍ର୍ୟତା ବିଷୟରେ କହିଥିଲା । ଯୁବକର ପରିବାର କଥା ଶୁଣିବା ପରେ ନରୋତ୍ତମଙ୍କ ପରିବାର ଲୋକଙ୍କ ମନରେ ଦୟା ଆସିଥିଲା । ସେମାନେ ଯୁବକକୁ ନେଇ ପଟିଆ ବିଦ୍ୟୁତ୍ ଶ୍ମଶାନ ନିକଟସ୍ଥ ତା’ଘରକୁ ଯାଇଥିଲେ । ସତକୁ ସତ ଯୁବକର ପରିବାରକୁ ଦେଖିବା ପରେ ନରୋତ୍ତମଙ୍କ ମନ ଆହୁରି ବ୍ୟଥିତ ହୋଇଥିଲା । ଘରେ କିଛି ଖାଇବାକୁ ନଥିଲା । ସେଠାରେ ସେମାନେ ଯୁବକକୁ ହଜାରେ ଟଙ୍କା ଦେଇ ଫେରି ଆସିଥିଲେ । ଏମିତିକି ତାଙ୍କ ରୋଷେଇ ଘରୁ ବ୍ୟାଗରେ ଭର୍ତ୍ତି କରିଥିବା ସାମଗ୍ରୀକୁ ମଧ୍ୟ ଯୁବକକୁ ଦେଇଦେଲେ ।