ଚାପୁଡ଼ାରେ ପ୍ରେମିକା ବେହୋସ, ପ୍ରେମିକ ଗିରଫ
ଚାପୁଡ଼ାରେ ପ୍ରେମିକା ବେହୋସ, ପ୍ରେମିକ ଗିରଫ
ଭୁବନେଶ୍ୱର: ପ୍ରେମିକାକୁ ଚାପୁଡ଼ା ମାରି ବେହୋସ କରିଦେବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ପ୍ରେମିକ ସୁନୀଲ ସେଠୀଙ୍କୁ ଗିରଫ କରିଛି । ସୁନୀଲଙ୍କ ଘର କେନ୍ଦ୍ରାପଡ଼ା ନିକିରେଇ ଅଞ୍ଚଳରେ । ସେ ମଞ୍ଚେଶ୍ୱର ଚକେଇସିଆଣିରେ ରହୁଥିଲେ ।
ପୁଲିସ ସୂଚନା ଅନୁଯାୟୀ, ସୁନୀଲ ଚକେଇସିଆଣିରେ ରହି ଏକ ଘରୋଇ କଂପାନୀରେ କାମ କରୁଥିଲେ । ସେ ପୂର୍ବରୁ ବିବାହିତ ଏବଂ ତାଙ୍କର ଏକ ସନ୍ତାନ ଅଛି। ସୋସିଆଲ ମିଡ଼ିଆରୁ ସୁନୀଲଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଯୁବତୀ ଜଣକ ଘରୋଇ କଂପାନୀରେ କାମ କରୁଥିଲେ । ଗୁରୁଦ୍ୱାର ନିକଟରେ ଥିବା ଏକ ଲେଡ଼ିଜ ହଷ୍ଟେଲରେ ରହୁଥିଲେ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ନିବିଡ଼ ହୋଇଥିଲା । ତେବେ ସୁନୀଲ ବିବାହିତ ବୋଲି ଜାଣିବା ପରେ ଯୁବତୀ ଆଉ ତାଙ୍କ ସହ ସଂପର୍କ ରଖି ନଥିଲେ । ବାରମ୍ବାର ସୁନୀଲ ଫୋନ କଲେ ମଧ୍ୟ ସେ ଫୋନ ଉଠାଉ ନଥିଲେ । ଗତକାଲି ରାତିରେ ସୁନୀଲ ଲେଡ଼ିଜ ହଷ୍ଟେଲ ନିକଟରେ ପହଞ୍ଚି ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଯୁବତୀ ହଷ୍ଟେଲରୁ ବାହାରି ପ୍ରତିବାଦ କରିବାରୁ ସୁନୀଲ ତାଙ୍କୁ ୩ ଶକ୍ତ ଚାପୁଡ଼ା ମାରିଥିଲେ । ଫଳରେ ଯୁବତୀ ବେହୋସ ହୋଇ ପଡ଼ିଥିଲେ । ଆଖପାଖ ଲୋକେ ଉଠି ଆସିବାରୁ ସୁନୀଲ ସେଠାରୁ ପଳାଇଥିଲା ।
ଖବର ପାଇ ଖାରବେଳନଗର ଥାନା ପୁଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ରାତାରାତି ପୁଲିସ ସୁନୀଲଙ୍କୁ ଉଠାଇ ଆଣିଥିଲା । ଆଜି ଯୁବତୀଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁକରିବା ସହ ସୁନୀଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।




admin 