ଘୃଣା ଭାଷଣ ମାମଲାରେ ନରସିଂହାନନ୍ଦ ଗିରି ଗିରଫ
ଘୃଣା ଭାଷଣ ମାମଲାରେ ନରସିଂହାନନ୍ଦ ଗିରି ଗିରଫ
ଲକ୍ଷ୍ନୌ: ହରିଦ୍ୱାରରେ ଘୃଣା ଭାଷଣ ଦେବା ମାମଲାରେ ଗିରଫ ହୋଇଛନ୍ତି ଧର୍ମ ସଂସଦର କୋର କମିଟି ସଦସ୍ୟ ମହାମଣ୍ଡଳେଶ୍ୱର ୟତି ନରସିଂହାନନ୍ଦ ଗିରି। ଏହାପୂର୍ବରୁ ଶନିବାର ଦିନ ଇସ୍ଲାମ୍ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଥିବା ଜିତେନ୍ଦ୍ର ତ୍ୟାଗୀ ଓରଫ ୱାସିମ ରିଜଭିଙ୍କୁ ଗିରଫ କରିଥିଲା ପୁଲିସ।
ନରସିଂହାନନ୍ଦ ଗିରିଙ୍କ ଗିରଫ ପରେ ସନ୍ଥଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ସେପଟେ ଗିରଫ ପରେ ୟତି ନରସିଂହାନନ୍ଦ ପୁଲିସକୁ ଧମକ ଦେଇଛନ୍ତି। ଗିରଫଦାରୀର କିଛି ସମୟ ପୂର୍ବରୁ ଧର୍ମ ସଂସଦ କୋର କମିଟି ଶାମ୍ଭବୀ ଆଶ୍ରମରେ ବୈଠକ କରି ୩ ଦିନ ଧରି ଅନଶନ କରୁଥିବା ୟତି ନରସିଂହାନନ୍ଦ ଏବଂ ଅମୃତାନନ୍ଦ ଅନଶନ ଶେଷ କରିବାକୁ ରାଜି ହୋଇଥିଲେ।
ଧର୍ମ ସଂସଦରେ ଉତ୍ତେଜନାମୂଳକ ଭାଷଣ ମାମଲା ଏବେ ବେଶ୍ ଚର୍ଚ୍ଚାରେ ରହିଛି। ଘୃଣା ଭାଷଣ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରାଯାଇଛି। ନାଗରିକ ସଂଗଠନ ଏବଂ ଅନ୍ୟାନ୍ୟ ବ୍ୟକ୍ତିତ୍ୱ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ବିଚାରପତି ଏନ.ଭି ରାମନ୍ନା ଏବଂ ଅନ୍ୟାନ୍ୟ ବ୍ୟକ୍ତିତ୍ୱଙ୍କୁ ଚିଠି ଲେଖିଛନ୍ତି। ହରିଦ୍ୱାର ଧର୍ମ ସଂସଦରେ ମୁସଲମାନମାନଙ୍କ ବିରୋଧରେ ଘୃଣା ଭାଷଣ ପାଇଁ ଉତ୍ତରପ୍ରଦେଶ ପୁଲିସ ଗୁରୁବାର ପ୍ରଥମ ଗିରଫ କରିଥିଲା।
ଏହି ମାମଲାରେ ରୁଜୁ ହୋଇଥିବା ଏଫ୍ଆଇଆର୍ରେ ୧୦ରୁ ଅଧିକ ଜଣଙ୍କ ନାଁ ସାମିଲ ଅଛି। ବୁଧବାର ଦିନ ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କୁ ୧୦ଦିନ ମଧ୍ୟରେ କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ଏକ ଆଫିଡେଭିଟ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଉତ୍ତରାଖଣ୍ଡ ପୁଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ।




admin 