ଗୋଟିଏ ରାସ୍ତା ପାଇଁ ୧୨୭ଟି ଗୁପ୍ତ ଟେଣ୍ଡର
ଗୋଟିଏ ରାସ୍ତା ପାଇଁ ୧୨୭ଟି ଗୁପ୍ତ ଟେଣ୍ଡର
admin
Nov 27, 2020 - 08:54
Updated: Nov 27, 2020 - 08:54
ଯାଜପୁର: ଗ୍ରାମ୍ୟ ଉନ୍ନୟନ ବିଭାଗର ଜାରକା ଡିଭିଜନ ଅନ୍ତର୍ଗତ ଚଣ୍ଡିଖୋଲ ସବଡିଭିଜନର ବ୍ୟାପକ ହରିଲୁଟ ଚାଲିଛି । ଗୋଟିଏ ନିର୍ଦ୍ଧିଷ୍ଟ ରାସ୍ତା କାମ ପାଇଁ ଠିକାଦାର ମାନଙ୍କ ନାମରେ ଏକାଧିକ ଗୁପ୍ତ ଟେଣ୍ଡର (ଏଫ ୨, ପି-୧) କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଉଛି । ଖୋଲା ଟେଣ୍ଡର ହେବା ପୂର୍ବରୁ ଗୁପ୍ତ ଟେଣ୍ଡର କରି ମିଥ୍ୟା ଭାଉଚର ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଯନ୍ତ୍ରୀ ଓ ଠିକାଦାର ଅସାଧୁ ମେଣ୍ଟ ହଡ଼ପ କରୁଥିବାର ଅଭିଯୋଗ ହେଉଛି । ଅନୁସନ୍ଧାନରୁ ଜଣାପଡ଼ିଛି ଯୌ ରାଇଝର-ଶାଳପଡ଼ା ରାସ୍ତାରେ ୨୦୧୨-୧୩ ଆର୍ଥିକ ବର୍ଷରେ ୩୧ଟି ଗୁପ୍ତ ଟେଣ୍ଡର ହୋଇଥିବା ବେଳେ ୨୦୧୩-୧୪ରେ ଆର୍ଥିକ ବର୍ଷରେ ୧୪ଟି , ୨୦୧୪-୧୫ରେ ୪୮ଟି ଗୁପ୍ତ ଟେଣ୍ଡର କରାଯାଇଛି । ପୁଣି ୨୦୧୫-୧୬ ରେ ୧୪ଟି, ୨୦୧୬-୧୭ ରେ ୨ଟି, ୨୦୧୭-୧୮ ରେ ୧୧ଟି, ୨୦୧୮-୧୯ରେ ୫ଟି ଓ ୨୦୧୯-୨୦ ଆର୍ଥିକ ବର୍ଷରେ ୨ଟି ଗୁପ୍ତ ଟେଣ୍ଡର କରାଯାଇଛି । ମୋଟ ୧୨୭ଟି ଗୁପ୍ତ ଟେଣ୍ଡର ଜରିଆରେ ଏହି ରାସ୍ତାରେ ୧ କୋଟି ୬୧ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ଦେଖାଯାଇଛି । ଏହି ରାସ୍ତାରେ ଶତାଧିକ ଗୁପ୍ତ ଟେଣ୍ଡର କରି ଠିକାଦାର ଓ ଯନ୍ତ୍ରୀ ବ୍ୟାପକ ଅର୍ଥ ହରିଲୁଟ କରିଛନ୍ତି ବୋଲି ଅଭିଯୋଗ ହେଉଛି । ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ବା ଅନ୍ୟ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରି ଖୋଲା ଟେଣ୍ଡର କରାଯାଇନାହିଁ । ଦୀର୍ଘ ବର୍ଷ ଧରି କାମକୁ ଭାଗ ଭାଗ କରି ଚୁକ୍ତି କରାଯାଉଛି । ସେହିପରି ଏହି ଚଣ୍ଡିଖୋଲି ସବଡିଭିଜନ ବରୁଣିଆ ପଇଦା ରାସ୍ତାରେ ୩ କୋଟି ୪୧ ଲକ୍ଷ ୪୯ ହଜାର ୫୧୫ ଟଙ୍କାର ଖୋଲା ଟେଣ୍ଡର କରାଯାଇ ଏକ ଠିକା ସଂସ୍ଥା ୨୦୧୭-୧୮ ଆର୍ଥିକ ବର୍ଷରେ ଏଗ୍ରିମେଣ୍ଟ ନମ୍ବର ୧୮୦ରେ କାମ କରିଥିଲା । ତେବେ ଠିକା ସଂସ୍ଥା ରାସ୍ତାରେ ମେଣ୍ଟାଲିଂ ନକରି ପୁରୁଣା ମେଣ୍ଟାଲିଂ ଉପରେ ପିଚୁ କାମ କରିଥିବା ଅଭିଯୋଗ ମଧ୍ୟ ହେଉଛି । ପ୍ରକାଶ ଥାଉ କି ଜାରକା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଚଳିତ ମାସ ଶେଷରେ ଅବସର ନେବେ । ଏହି ସୁଯୋଗରେ କେତେକ ଠିକାଦାର ଓ ଅଧିକାରୀ ଅସାଧୁ ମେଣ୍ଟ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଚଳାଇଚନ୍ତି । ସରକାରୀ ଅନୁଦାନକୁ ହରିଲୁଟ କରିବା ପାଇଁ ଗଳା ବାଟରେ ବେକାର ଇଞ୍ଜିନିୟରଂଙ୍କୁ ଠିକାଦାର ସଜାଇଛନ୍ତି । ଏଠାରେ ଗୁପ୍ତ ଟେଣ୍ଡର ସହିତ ମିଥ୍ୟା ବିଲ କରାଯାଉଥିବା ଅଭିଯୋଗ ହେଉଛି ।