ଗୋଟିଏ କ୍ଲିକ୍‌ରେ ୩୦୦ରକମ ଋଣ ଆବେଦନ

ଗୋଟିଏ କ୍ଲିକ୍‌ରେ ୩୦୦ରକମ ଋଣ ଆବେଦନ

ଗୋଟିଏ କ୍ଲିକ୍‌ରେ ୩୦୦ରକମ ଋଣ ଆବେଦନ


ଭୁବନେଶ୍ୱର : ଗୋଟିଏ କ୍ଲିକ୍‌ରେ ୩୦୦ରକମର ଋଣ ଆବେଦନ କରି ହେବ । ୪୦ରୁ ଅଧିକ ବ୍ୟାଙ୍କରୁ କୃଷକ ଓ କୃଷି ଉଦ୍ୟୋଗୀମାନେ ଋଣ ପାଇପାରିବେ । ଦେଶରେ ଏଭଳି ସୁବିଧା ପ୍ରଥମ ଓ ଅନନ୍ୟ । କୃଷି ଋଣ ଆବେଦନ ପୋର୍ଟାଲ ‘ସଫଳ’ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ବୁଧବାର ଲୋକସେବା ଭବନ କନଭେନସନ୍‌ ସେଣ୍ଟରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀମାନେ ଯେଭଳି ସହଜ ଓ ସୁବିଧାରେ କୃଷି ଋଣ ପାଇବେ ସେଥିପାଇଁ ‘ସଫଳ’ ପୋର୍ଟାଲ ବିକଶିତ କରାଯାଇଛି । ଏହା ୱାନ୍‌ ଷ୍ଟପ୍‌ ସଲ୍ୟୁସନ୍‌ ଭଳି କାମ କରିବ । ଏହି ପୋର୍ଟାଲରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କ ଓ ଛୋଟ ଫାଇନାନ୍ସ ବ୍ୟାଙ୍କକୁ ଏହି ଯୋଡାଯାଇଛି । ପ୍ରାୟ ୪୦ରୁ ଅଧିକ ବ୍ୟାଙ୍କ ଏଥିରେ ଅଛନ୍ତି । ସମସ୍ତ ବ୍ୟାଙ୍କ କୃଷକ ଓ କୃଷି ଉଦ୍ୟୋଗୀଙ୍କୁ ୩୦୦ପ୍ରକାରର ଋଣ ଦେଉଛନ୍ତି । ଚାଷୀମାନେ ଏହି ପୋର୍ଟାଲକୁ ଯାଇ ଅନଲାଇନ୍‌ରେ ଋଣ ଆବେଦନ କରିପାରିବେ । ମୋ ସେବା କେନ୍ଦ୍ରରୁ ମଧ୍ୟ ପୋର୍ଟାଲ ଯୋଗେ ଋଣ ଆବେଦନ କରିହେବ । ସବୁଠୁ ବଡ଼ କଥା, ପୋର୍ଟାଲରେ ଋଣ ଆବେଦନର ସ୍ଥିତି ଯାଞ୍ଚ କରିହେବ । ଆବେଦନ କେଉଁ ସ୍ତରରେ ଅଟକିଛି ଓ କେବେ ସୁଦ୍ଧା ମଞ୍ଜୁରି ମିଳିବ ଏହାର ଟିକିନିଖି ବା ରିଅଲ ଟାଇମ୍‌ ଟ୍ରାକିଂ କରିହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିଭଳି ୭୦ରୁ ଅଧିକ ମଡେଲ୍‌ ପ୍ରକଳ୍ପ ରିପୋର୍ଟକୁ ପୋର୍ଟାଲରେ ଅପଲୋଡ୍‌ କରାଯାଇଛି । ଚାଷୀମାନେ ଏହାକୁ ଉପଯୋଗ କରିପାରିବେ । ଚାଷୀଙ୍କ ଋଣ ଆବେଦନ ପ୍ରକ୍ରିୟାକୁ ଏହା ସରଳ କରିବ । ବ୍ୟାଙ୍କମାନେ ମଧ୍ୟ ଏଥିରୁ ଲାଭ ପାଇବେ । କୃଷକ ଓଡିଶା ସହ ବି ପୋର୍ଟାଲକୁ ଲିଙ୍କ୍‌ କରାଯିବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ କେତେ କୃଷି ଋଣ ଆବଶ୍ୟକ ଅଛି ଓ କେତେ ଋଣ ପ୍ରଦାନ କରାଯାଉଛି, ତାର ବିସ୍ତୃତ ତଥ୍ୟ ଏଥିରୁ ମିଳିପାରିବ । ‘ସଫଳ’ କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ।  କୃଷକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଏହା ଏକ ଦୀର୍ଘସୂତ୍ରୀ ମାଧ୍ୟମ ଭାବେ କାମ ଦେବ ବୋଲି ସେ କହିଛନ୍ତି ।