ଗାଁ ନଳକୂପରେ ଉଡ଼ିଲା ନାଲି ପତାକା

ଗାଁ ନଳକୂପରେ ଉଡ଼ିଲା ନାଲି ପତାକା

ଗାଁ ନଳକୂପରେ ଉଡ଼ିଲା ନାଲି ପତାକା
ମହାକାଳପଡ଼ା: ଅସୁସ୍ଥ ଥିବା ସମ୍ପର୍କୀୟଙ୍କୁ ଆଶ୍ରୟ ଦେବା ଗୋଟିଏ ପରିବାରକୁ ମହଙ୍ଗା ପଡ଼ିଛି । ଗାଁ ଲୋକ ଏହାକୁ ବିରୋଧ କରି ସମ୍ପୃକ୍ତ ପରିବାର ବ୍ୟବହାର କରିଥିବା ସରକାରୀ ନଳକୂପରେ ନାଲି ପତାକା ଉଡ଼ାଇଛନ୍ତି । କରୋନା ବ୍ୟାପିବାର ଗୁଜବ ଦେଖାଇ ନଳକୂପରୁ କେହି ପାଣି ନ ନେବାକୁ କଟକଣା ଲଗାଇଛନ୍ତି । ଏଭଳି ଏକ ବିଚିତ୍ର ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କାଳପଡ଼ା ବ୍ଲକ ଖରିନାସୀ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଖବର ପାଇ ମେଡିକାଲ ଟିମ ଘଟଣା ସ୍ଥଳରେ ପହଞ୍ଚି ଅସୁସ୍ଥ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିବା ପରେ ଉତ୍ତ୍ୟକ୍ତ ଗାଁ ଲୋକେ ଶାନ୍ତ ହୋଇଛନ୍ତି । ସମ୍ପର୍କୀୟଙ୍କ ଘରକୁ ଆସିଥିବା ଏହି ଯୁବକ ଜଣକ ଅସୁସ୍ଥ ଥିଲେ । ଥଣ୍ଡା, କାଶ ସହ ଜ୍ୱର ହୋଇଥିଲା । ଅସୁସ୍ଥ ଥିବାରୁ ସେ ଡଙ୍ଗା ଯୋଗେ ପାରାଦ୍ୱୀପରୁ ରାମନଗର ଦେଇ ଖରିନାସୀରେ ଥିବା ସମ୍ପର୍କୀୟଙ୍କ ଘରକୁ ଚାଲିଆସିଥିଲେ । ରାତିରେ ପହଞ୍ଚିବା ପରେ ସମ୍ପର୍କୀୟ ଘରେ ରହିଥିଲେ । ସକାଳେ ଏହି ଅସୁସ୍ଥ ଯୁବକଙ୍କ ଖବର ପ୍ରଚାରିତ ହେବା ପରେ ଗାଁରେ ଆତଙ୍କ ଖେଳି ଯାଇଥିଲା । ଯୁବକଙ୍କୁ କରୋନା ହୋଇଥିବାର ଗୁଜବ ପ୍ରଚାର କରି ସମ୍ପୃକ୍ତ ପରିବାର ବ୍ୟବହାର କରିଥିବା ନଳକୂପ ନିକଟରେ ନାଲି ପତାକା ଉଡ଼ାଇ କେହି ପାଣି ନ ନେବା ପାଇଁ କହିଥିଲେ । ଗାଁ ଲୋକେ ବି କେହି ଡରରେ ନଳକୂପରୁ ପାଣି ନେଲେ ନାହିଁ । କେବଳ ସେତିକି ନୁହେଁ ସମ୍ପୃକ୍ତ ପରିବାର ଯେଉଁ ଦୋକାନକୁ ଯାଇ ସକାଳେ ସଉଦା ଆଣିଥିଲେ, ସେଠିକି ବି କେହି ଗଲେ ନାହିଁ । ଫଳରେ ଦୋକାନୀ ଜଣକ ଦୋକାନ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ଅନ୍ୟ ପକ୍ଷରେ ଏ ସମ୍ପର୍କରେ ଅପରାହ୍ନରେ ଖବର ପାଇ ମେଡିକାଲ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମ୍ପୃକ୍ତ ଯୁବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କରୋନା ନେଇ ସୃଷ୍ଟି ହୋଇଥିବା ଗୁଜବ ସମ୍ପର୍କରେ ସଚେତନ କରିବା ପରେ ଗାଁରେ ପରିବେଶ ଶାନ୍ତ ପଡ଼ିଥିଲା ।