କେହି ଭୋଟ ବିକିବନି: ଅପରାଜିତା

କେହି ଭୋଟ ବିକିବନି: ଅପରାଜିତା

କେହି ଭୋଟ ବିକିବନି: ଅପରାଜିତା

ଭୁବନେଶ୍ୱର: ପୌର ନିର୍ବାଚନ ପୂର୍ବରୁ ହାତ ଯୋଡ଼ି କେହି ଭୋଟ୍‌ ନ ବିକିବା ପାଇଁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ରାଜଧାନୀର 450  ବସ୍ତିରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ହାତ ଯୋଡ଼ି ଅନୁରୋଧ କରି ଅପରାଜିତା କହିଛନ୍ତି, ଆପଣମାନେ ଭୋଟ୍‌ ବିକିବେ ନାହିଁ। ଯିଏ ବିକାଶ କରିପାରିବ, ତାକୁ ଭୋଟ୍‌ ଦେଇ ବାଛନ୍ତୁ।

ଭୁବନେଶ୍ୱରରେ ଆୟୋଜିତ ଏକ କାର୍ୟ୍ୟକ୍ରମ ପରେ ଶ୍ରୀମତୀ  ଷଡ଼ଙ୍ଗୀ କହିଛନ୍ତି,  ପଞ୍ଚାୟତ ନିର୍ବାଚନର ପ୍ରଭାବ ପୌର ନିର୍ବାଚନରେ  ପଡ଼ିବ ନାହିଁ। ଆମେ ୫ଟି ପ୍ରସଙ୍ଗ ନେଇ  ଲୋକଙ୍କ ପାଖକୁ ଯିବୁ। ସେ ଗୁଡ଼ିକ ହେଲା ଡ୍ରେନେଜ, ବସ୍ତି, ଭେଣ୍ଡିଂ ଜୋନ୍‌, ସୌନ୍ଦର୍ୟ୍ୟକରଣ ଓ ସୁରକ୍ଷା।” 

ସେ କହିଛନ୍ତି, ଏଠି ସାଢ଼େ ଚାରି ଶହରୁ ଊର୍ଦ୍ଧ୍ୱ ବସ୍ତି ରହିଛି। ବସ୍ତିରେ ବାସ କରୁଥିବା ଲୋକଙ୍କ ଜୀବନଧାରଣର ମାନ ଯେମିତି ହେବା କଥା ତାହା ହୋଇନାହିଁ। ୨୦ ବର୍ଷର ଶାସନ କାଳ ଭିତରେ କାହିଁକି ବସ୍ତି, ବସ୍ତି ହୋଇ ରହି ଯାଇଛି? ସେମାନଙ୍କ ଜୀବନଶୈଳୀ ସ୍ଥିର ହୋଇ ରହିଛି। ବସ୍ତିରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଡ୍ରେନ୍‌ ଉପରେ ଧ୍ୟାନ ଦେବାର ଥିଲା। ଆଉ ବସ୍ତିକୁ ସହରାଞ୍ଚଳ ସହିତ ମିଶାଇବାର ଥିଲା। ମାତ୍ର ତାହା ହୋଇପାରିଲା ନାହିଁ ବୋଲି ଅପରାଜିତା କହିଛନ୍ତି।  ରାଜଧାନୀରେ ଡ୍ରେନ୍‌ଜ ବ୍ୟବସ୍ଥା ଠିକ୍‌ ନାହିଁ। ଡ୍ରେନେଜ୍‌ ବ୍ୟବସ୍ଥାର ସୁଧାର ପାଇଁ ବଡ଼ ଧରଣର ମାଷ୍ଟର ପ୍ଲାନ୍‌ ହେବା କଥା। ମାତ୍ରର ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ। କାହିଁକି ଡ୍ରେନେଜ ବ୍ୟବସ୍ଥାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।

କର୍ପୋରେଟ୍‌ର ଓ ମେୟରଙ୍କ ଜରିଆରେ ଆମେ ବହୁତ ଭେଣ୍ଡିଂ ଜୋନ୍‌ କରିଥିଲୁ। ଉଠା ଦୋକାନୀମାନଙ୍କୁ ଥଇଥାନ୍‌ କରିଥିଲୁ। କିନ୍ତୁ ବର୍ତ୍ତମାନ ଜବରଦଖଲ ଉଚ୍ଛେଦ ହେଉଛି। ହେଲେ ଭେଣ୍ଡିଂ ଜୋନ୍‌ ଦେଖିବାକୁ ପାଉନାହୁଁ। ଅଳ୍ପ ପକ୍କା ଘର କରିଦେଲେ ସମସ୍ୟା ସମାଧାନ ହୋଇପାରିବ ନାହିଁ। ହଜାର ହଜାର ସଂଖ୍ୟାରେ ଉଠା ଦୋକାନୀ ଜବରଦଖଲ କରି ଅଛନ୍ତି। ସେମାନଙ୍କୁ ଜବରଦଖଲ ଉଚ୍ଛେଦ କରିବା ସମାଧାନର ରାସ୍ତା ନୁହେଁ। ଆଗେ ଥଇଥାନ୍‌ ପରେ ଉଚ୍ଛେଦ କରାଯାଉ।”

ସୌନ୍ଦର୍ୟ୍ୟକରଣ କରିବା ଏକ ଭଲ କଥା। କିନ୍ତୁ ସୌନ୍ଦର୍ୟ୍ୟକରଣ ସହରର ଗଳିକନ୍ଦିରେ ହେଉ। ସବୁଠି ଭଲ ରାସ୍ତା ଓ ଡ୍ରେନେଜ୍ ବ୍ୟବସ୍ଥା ହେଉ। ଏହି ଦିଗରେ ଆମକୁ କାମ କରିବାର ଅଛି ବୋଲି  ଷଡ଼ଙ୍ଗୀ କହିଛନ୍ତି। ମହାନଗର ସୁରକ୍ଷିତ ସହର ହେବା କଥା। ଏଠି କାହିଁକି ମହିଳା ଓ ପୁରୁଷମାନେ ଡକାୟତିର ଶିକାର ହେଉଛନ୍ତି? ଏହା ଉପରେ ଧ୍ୟାନ ଦିଆଯିବା କଥା ବୋଲି ସେ କହିଛନ୍ତି।