କେମିତି ଆରମ୍ଭ ହୁଏ ଗଜପତି ମହାରାଜଙ୍କ ନୂଆ ଅଙ୍କ, ଜାଣନ୍ତୁ
କେମିତି ଆରମ୍ଭ ହୁଏ ଗଜପତି ମହାରାଜଙ୍କ ନୂଆ ଅଙ୍କ, ଜାଣନ୍ତୁ
ପୁରୀ : ଆଶ୍ୱିନ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀନଅରରେ ଶନିବାର ଦିନ ପବିତ୍ର ସୁନିଆଁ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାରଠାରୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର ନୂଆ ଅଙ୍କ ଓ ନୂଆ ସାଲ(ବର୍ଷ) ଆରମ୍ଭ ହୋଇଛି । ଶନିବାରଠାରୁ ଗଜପତି ମହାରାଜଙ୍କ ରାଜତ୍ୱର ୧୪୨୯ ସାଲ ଓ ୬୪ ଅଙ୍କ ପ୍ରବେଶ କରିଛି । ପ୍ରତୀକାତ୍ମକ ଭାବେ ୬୪ ଅଙ୍କ ଓ ୧୪୨୯ ସାଲ ଖୋଦିତ ସୁବର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଛି ।
ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ମା’ କନକ ଦୁର୍ଗାଙ୍କ ସହ ଶ୍ୟାମାକାଳୀ, ରାଧାକୃଷ୍ଣ, ଶ୍ରୀନୃସିଂହ ଆଦି ଦେବଦେବୀଙ୍କଠାରେ ଗଜପତି ମହାରାଜଙ୍କ ବିଶେଷ ପୂଜାବିଧି ଅନୁଷ୍ଠିତ ହୋଇଥିଲା । ଗଜପତି ମହାରାଜ ଦେବାଦେବୀଙ୍କୁ ପୁଷ୍ପାଞ୍ଜଳି ଓ ମଙ୍ଗଳାର୍ପଣ ପୂର୍ବକ ବିଶ୍ୱର ମଙ୍ଗଳ କାମନା କରିଥିଲେ । ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ସମ୍ପନ୍ନ ହୋଇଥିଲା । ସୁବର୍ଣ୍ଣ ମୁଦ୍ରାରୁ ପୁରୁଣା ଅଙ୍କ ୬୩କୁ ଲିଭାଯାଇ ନୂଆ ଅଙ୍କ ୬୪ ଉଲ୍ଲେଖ ପୂର୍ବକ ସୁବର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା । ରାଜଗୁରୁଙ୍କ ଉପସ୍ଥିତିରେ ବରାହ, ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ଏହି ନୂଆ ସୁବର୍ଣ୍ଣ ମୁଦ୍ରାକୁ ଶ୍ରୀନଅର କରଣମାନେ ପ୍ରଚଳନ କରିବା ପରେ ଗଜପତି ମହାରାଜ ଏହାର ବିଧିବଦ୍ଧ ଘୋଷଣା କରିଥିଲେ । ପ୍ରତିବର୍ଷ ଗଜପତି ମହାରାଜାଙ୍କ ରାଜତ୍ୱ ତଥା ଶାସନର ନୂଆ ଅଙ୍କ ଓ ସାଲ ଘୋଷଣା ହେବାର ପରମ୍ପରା ରହିଛି ।
ପରମ୍ପରା ଅନୁଯାୟୀ, ଶନିବାର ଦିନ ଗଜପତି ମହାରାଜଙ୍କ ରାମାଭିଷେକ ପୂଜା କରାଯାଇଥିଲା । ଭୋରରୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପଇତା ଲାଗି ପରେ ଶ୍ରୀନୃସିଂହ ଦେବଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସମୃଦ୍ଧି ପାଇଁ ସୁବର୍ଣ୍ଣରେ ନିର୍ମିତ ‘ଅବିଦ୍ଧ’ (ବିଭିନ୍ନ ଦେବାଦେବୀଙ୍କ ନାମରେ ଥିବା ମୁଦ୍ରା) ଗଜପତି ମହାରାଜଙ୍କ ମସ୍ତକ ସ୍ପର୍ଶ କରାଯାଇଥିଲା । ଗଜପତି ମହାରାଜଙ୍କୁ ମହାପ୍ରସାଦ ବି ଲାଗି ହୋଇଥିଲା । ମହାପ୍ରସାଦ ସହ ଶ୍ରୀମନ୍ଦିରରୁ ଆସିଥିବା ପତନି ବି ପ୍ରଦାନ କରାଯାଇଥିଲା । ଗଜପତି ମହାରାଜାଙ୍କ ପାରମ୍ପରିକ ରାଜଗୁରୁ ଦେବୀପ୍ରସନ୍ନ ରାଜଗୁରୁ, ସୁଧାଂଶୁ ରାଜଗୁରୁ ପ୍ରମୁଖ ଏହି ପୂଜାବିଧି ସମ୍ପନ୍ନ କରିଥିଲେ । ଅନ୍ୟପଟେ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ, ମନ୍ଦିରରେ ବି ସୁନିଆଁ ପର୍ବ ପାଳିତ ହୋଇଯାଇଛି । ପ୍ରତିମଠରେ ଗାଦିପୂଜା କରାଯାଇଛି । ମଠାଧୀଶମାନେ ଗାଦିରେ ଉପବେଶନ ପରେ ଶିଷ୍ୟମାନେ ପୂଜାର୍ଚ୍ଚନା କରିଛନ୍ତି ।




admin 