କେବିସି ହଟ୍ ସିଟ୍ରେ ଗାଙ୍ଗୁଲି
କେବିସି ହଟ୍ ସିଟ୍ରେ ଗାଙ୍ଗୁଲି
ନୂଆଦିଲ୍ଲୀ : ଶୁକ୍ରବାରଠାରୁ ଆରମ୍ଭ ହୋଇଛି କୌନ ବନେଗା କରୋଡ଼ପତି (କେବିସି)ର ତ୍ରୟୋଦଶ ସେସନ୍। ପ୍ରଥମ ଚରଣରେ ଭାରତୀୟ କ୍ରିକେଟ ଦଳର ଦୁଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ବୀରେନ୍ଦ୍ର ସେହବାଗଙ୍କୁ ଏହି ଲୋକପ୍ରିୟ ମଞ୍ଚରେ ଦେଖିବାକୁ ମିଳିଥିଲା । ତେବେ ପ୍ରସାରଣ ହେବା ପୂର୍ବରୁ ଚାନେଲ୍ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ପ୍ରମୋରେ ଏହି ଦୁଇ ମହାନ କ୍ରିକେଟର୍ ପରସ୍ପରର ପାଦ ଟାଣିବା ଭଳି କଥା କହି ମଜା ଉଠାଉଥିବାରୁ ସେମାନଙ୍କ ପ୍ରଶଂସକ ମଧ୍ୟ ଖୁସି ହୋଇଛନ୍ତି । ଏହି ଭିଡିଓରେ ସୌରଭ ଗାଙ୍ଗୁଲି ଏବଂ ବିଗ ବି’ ଅମିତାଭ ବଚ୍ଚନ ସିଟ ଅଦଳବଦଳ କରି ବସିଥିଲେ । ଫଳରେ ଗାଙ୍ଗୁଲି ହଷ୍ଟ ସିଟରେ ବସିଥିଲେ । ଏହା ପରେ ସେହବାଗ ଏକ କଟାକ୍ଷ ଟିପ୍ପଣୀ ରଖିଥିଲେ । କହିଥିଲେ ଗାଙ୍ଗୁଲିଙ୍କର ଅଭ୍ୟାସ ଅଛି ଅନ୍ୟଠାରୁ କାମ ଝାମ୍ପିନେବାର । “ଭାରତୀୟ ଦଳକୁ ଆସିବା ପରେ ସେ ଅଧିନାୟକ ପଦ ଛଡ଼ାଇ ନେଇଥିଲେ, ବିସିସିଆଇ ଗଲେ ଯେ ସେଠାରେ ସଭାପତି ପଦ ଝାମ୍ପିନେଲେ...ଏବେ ଏଠାକୁ ଆସିଗଲେ ।” ବୀରୁ କିଛି ସମୟ ନିରବ ରହିଥିବା ବେଳେ ବିଗ ବି’ ହସି ହସି ବେଦମ ହୋଇପଡ଼ିଥିଲେ । ଏତିକି ବେଳେ ବିଗ ବି’ଙ୍କୁ ଗାଙ୍ଗୁଲି ହାତ ଯୋଡ଼ି କହିଥିଲେ ସେହବାଗଙ୍କୁ ବିଶ୍ୱାସ କରନ୍ତୁ ନାହିଁ । ସେହବାଗ କିନ୍ତୁ ଚୁପ୍ ନରହି ଆଉ ଏକ ମଜାଦାର ଉତ୍ତର ଦେଇଥିଲେ । “ଭାରତୀୟ ଦଳର ଅସୁବିଧା ବେଳେ ମୁଁ ହିଁ ତାଙ୍କ କାମରେ ଆସୁଥିଲି । ଓପନର ନଥିଲେ ବୀରେନ୍ଦ୍ର ସେହବାଗଙ୍କ ଦ୍ୱାରା କରାନ୍ତି, ଫାଇନାଲରେ ରନ ସ୍କୋର୍ ପାଇଁ ମୋତେ କହିବେ, ଦ୍ରୁତ ବେଗରେ ରନ ପାଇଁ ମଧ୍ୟ କହିବେ ଏବଂ ବୋଲର ନ ଥିଲେ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତରେ ୱିକେଟ୍ ନେବାକୁ ବି ଦାୟିତ୍ୱ ଦେଇଦେବେ” । ଶେଷରେ ଗାଙ୍ଗୁଲି କହିଛନ୍ତି କେବଳ ବିଗ୍ ବି’ ହିଁ କେବିସି ହଷ୍ଟ ସିଟରେ ବସିଲେ ଭଲ ଲାଗନ୍ତି । ସେହବାଗ ମଧ୍ୟ ଏହି ଅଧ୍ୟାୟ ଅବସରରେ ଗାଙ୍ଗୁଲି-ଗ୍ରେଗ ଚାପେଲଙ୍କ ବିଭେଦ ବେଳକୁ ସଂଗୀତରେ ଉପସ୍ଥାପନ କରିଥିଲେ । ଆମେ ତ ଚଳାଇ ନେବୁ..ତୁମର କ’ଣ ହେବ ଜନାବ ବୋଲି ଦର୍ଶାଇଥିଲେ । ଏହି ସ୍ୱତନ୍ତ୍ର ଅଧ୍ୟାୟରେ ଅମିତାଭ ବଚ୍ଚନ ମଧ୍ୟ ଖେଳାଳିଙ୍କ ସହ ଆଲୋଚନା କରି କ୍ରିକେଟର ଅନେକ ମାଇଲଖୁଣ୍ଟ ମୁହୂର୍ତର ସ୍ମୃତିଚାରଣ କରିଛନ୍ତି ।




admin 