କେବଳ ପୁରୀ ନୁହେଁ, ଓଡ଼ିଶା ବିକାଶରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି : ନବୀନ
କେବଳ ପୁରୀ ନୁହେଁ, ଓଡ଼ିଶା ବିକାଶରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି : ନବୀନ
ପୁରୀ: ଲଣ୍ଡନ, ଲସ୍ ଏଞ୍ଜେଲସ୍ ଓ ସିଙ୍ଗାପୁର ଭଳି ସହରାଞ୍ଚଳରେ ସାମିଲ ହେଲା ପୁରୀ। ପୁରୀକୁ ଟ୍ୟାପ୍ ଯୋଗେ ମିଳିଲା ବିଶୁଦ୍ଧ ପାନୀୟ ଜଳ । ଏହି ଯୋଜନା ପରେ ଏବେ ପୁରୀରେ ପର୍ୟ୍ୟଟକ ଆଉ ପାଣି ବୋତଲ ଧରି ବୁଲିବେ ନାହିଁ । ସହରର ପ୍ରତି ସ୍ଥାନରେ ପାଣି ଟ୍ୟାପର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହର ହେଲା ପୁରୀ । ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ପୁରୀ ନୁହେଁ, ଓଡ଼ିଶା ବିକାଶରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଏବେ ପୁରୀ ସହରର ସମସ୍ତଙ୍କୁ ମିଳିବ ସ୍ୱଚ୍ଛ ପିଇବା ପାଣି । ପୁରୀବାସୀଙ୍କୁ ଘରେ ଏବେ ଫିଲଟର ରଖିବା ଦରକାର ନାହିଁ, ଟ୍ୟାପରୁ ମିଳିବ ସ୍ୱଚ୍ଛ ପାଣି। ସାରା ଦେଶରେ ଏହି ଯୋଜନା ପ୍ରଥମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
କାର୍ୟ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ୫-T ସଚିବ ଭିକେ ପାଣ୍ଡିଆନ । ବିସ୍ତୃତ ବିବରଣୀ ରଖିଥିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଦିଗରେ ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନ ଏକ ଯୁଗାନ୍ତକାରୀ ପ୍ରକଳ୍ପ ।
ଏହି ଯୁଗାନ୍ତକାରୀ ପଦକ୍ଷେପ ଫଳରେ ପୁରୀ ସହରର ଅଢେଇ ଲକ୍ଷ ବାସିନ୍ଦା ୨୪ ଘଣ୍ଟା ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବେ । ଏହି ଯୋଜନାରେ ଭାରତର ଆଧ୍ୟାତ୍ମିକ ରାଜଧାନୀକୁ ଆସୁଥିବା ବାର୍ଷିକ ୨ କୋଟି ପର୍ୟ୍ୟଟକ ମଧ୍ୟ ଉପକୃତ ହେବେ । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ପୁରୀ ସହର ଆମେରିକା ଲଣ୍ଡନ, ସିଙ୍ଗାପୁର ସହର ସହ ସମକକ୍ଷ ହୋଇପାରିଛି । ଏପରି ସଫଳତା ହାସଲ କ୍ଷେତ୍ରରେ ପୁରୀ ସାରା ଦେଶରେ ହେଉଛି ପ୍ରଥମ ସହର । ଏହି ଯୋଜନା ପରେ ପୁରୀ ସହରରେ ବାର୍ଷିକ ୪୦୦ ମେଟ୍ରିକ ଟନ୍ର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହ୍ରାସ ହୋଇପାରିବ । ରାଜ୍ୟ ସରକାରଙ୍କ ୫-T ଯୋଜନା ଅଧୀନରେ ୧୬ଟି ସହରର ୪୦ ଲକ୍ଷ ବାସିନ୍ଦାଙ୍କ ପାଇଁ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାର କାର୍ୟ୍ୟାରମ୍ଭ ହେଉଛି ।




admin 