କାଲିଠାରୁ ରାଜ୍ୟରେ ଗଡିବ ବସ୍
କାଲିଠାରୁ ରାଜ୍ୟରେ ଗଡିବ ବସ୍
admin
May 12, 2020 - 07:43
Updated: May 12, 2020 - 07:43
ଭୁବନେଶ୍ୱର: ପୂର୍ବରୁ ହୋଇଥିବା ଗ୍ରୀନ ଜୋନରେ ବସ ଚଳାଚଳ ନିଷ୍ପତ୍ତିକୁ ପୁଣି ଥରେ ଦୋହରାଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଗ୍ରୀନ ଜୋନରେ ବସ ଚଳାଚଳ ନେଇ ପୂର୍ବରୁ ରାଜ୍ୟ ସରକାର ଅନୁମତି ଦେଇଥିଲେ ହେଁ ଭଡ଼ା ସମେତ ବିଭିନ୍ନ ସମସ୍ୟା ନେଇ ଘରୋଇ ବସ ମାଲିକ ସଂଘ ପକ୍ଷରୁ ବସ ଚଳାଚଳ କରିବାକୁ ମନା କରାଯାଇଥିଲା । ତେବେ ଏବେ ପୁଣି ଗ୍ରୀନ ଜୋନରେ ବସ ଚଳାଚଳ ନେଇ ବ୍ୟବସ୍ଥା ହେଉଥିବା ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ଭଡ଼ା ଦୁଇ ଗୁଣ କରାଯାଇ ବସ ଚାଲିବା ବ୍ୟବସ୍ଥା ହେଉଥିବା ସେ କହିଛନ୍ତି । ଯେହେତୁ ଅଧା ସିଟରେ ଲୋକେ ଯିବେ, କ୍ଷତି ହ୍ରାସ ପାଇଁ ଭଡ଼ାକୁ ଦୁଇ ଗୁଣ କରାଯିବ । ଭଡ଼ା ଦୁଇଗୁଣ ଦ୍ୱାରା ମାଲିକମାନେ ଆଉ କ୍ଷତିଗ୍ରସ୍ତ ହେବେ ନାହିଁ । ଜରୁରୀ କାମ ଥିବା ଲୋକ ବି ଦୁଇଗୁଣ ଭଡ଼ା ଦେବାକୁ ପଛେଇବ ନାହିଁ । ଏନେଇ ପରିବହନ ବିଭାଗ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଦିନେ ଦୁଇ ଦିନରେ ଏନେଇ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।
ପ୍ରକାଶ ଯେ,ରାଜ୍ୟରେ ଗ୍ରୀନ ଜୋନରେ ବସ ଚଳାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଥିଲା । ତେବେ ଅନୁମତି ସତ୍ତ୍ୱେ ବସ ଚଳାଇବାକୁ ବସ ମାଲିକ ସଂଘ ମନା ଗତ ମେ ୫ ତାରିଖ ଦିନ କରିଦେଇଥିଲା । ଗାଡ଼ି ଚଳାଇବା ନାହିଁ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଥିଲା । ଯାତ୍ରୀ ସେବା ଅତ୍ୟାବଶ୍ୟକ ସେବା, ବସ ଚାଳକଙ୍କୁ ବୀମାଭୁକ୍ତ କରାଯିବାକୁ ବସ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଏହାଛଡ଼ା ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚଳାଇ ହେବନାହିଁ । ଖର୍ଚ୍ଚ ଉଠିବ ନାହିଁ । ଏହାଛଡ଼ା ବସରେ ଯାଉଥିବା ଯାତ୍ରୀଙ୍କୁ ଯେ କରୋନା ହୋଇନାହିଁ ତାହା କିଏ କହିବ ବୋଲି ସଂଘ ପ୍ରଶ୍ନ କରିଥିଲା । ତେଣୁ ଟ୍ରେନ ଭଳି ବସରେ ଉଠିବା ପୂର୍ବରୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା । ସରକାର ଆମ ଦାବି ବିଚାର କଲେ, ସହଯୋଗ କଲେ ଆମେ ବସ ଚଳାଇବା ନେଇ ଚିନ୍ତା କରିବୁ । ସବୁ ବସ ସଂଘ ସହ ଆଲୋଚନା କରି ନିଷ୍ପତ୍ତି ନେବୁ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଥିଲା ।
ଅନ୍ୟପକ୍ଷରେ ସରକାରୀ ଚାକିରୀଆଙ୍କ ସୁବିଧାକୁ ଆଖି ଆଗରେ ରଖି ବୁଧବାର ଠାରୁ କଟକ ଭୁବନେଶ୍ୱର ବସ ଚଳାଚଳ କରିବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଅଫିସ ଟାଇମରେ ଏହି ବସ ଯା’ ଆସ କରିବ । ରାଜ୍ୟ ସଡ଼କ ପରିବହନର ମାତ୍ର ଗୋଟିଏ ବସ ହିଁ ଚାଲିବ । କଟକ ଓ ଭୁବନେଶ୍ୱର ପାଇଁ ୩୦ ଟଙ୍କା ଭଡ଼ା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟଯେ, ମେ’ ୪ରୁ ପୁଣି ଥରେ ଲକଡାଉନ ବଢ଼ିଥିଲେ ହେଁ ବସ ଚଳାଚଳକୁ ଅନୁମତି ମିଳିଥିଲା । ତେବେ ବସ ମାଲିକମାନେ ବସ ଚଳାଇବାକୁ ରାଜି ହୋଇନଥିଲେ । ସାମାଜିକ ଦୂରତା ରକ୍ଷା କରି ବସରେ ବସିବାର ବ୍ୟବସ୍ଥା ଥିଲା । ଫଳରେ କମ ସଂଖ୍ୟକ ଯାତ୍ରୀଙ୍କୁ ନେଇ ବସ ଗଡ଼ିଲେ ଲାଭ ହେବନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା ।