କଂଗ୍ରେସରୁ କାହାକୁ ମିଳିବ ଝାରସୁଗୁଡା ଟିକେଟ
ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତୁ୍ୟପରେ ଖାଲିପଡ଼ିଥିବା ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଆସନ୍ତା ମଇ ୧୦ରେ ଏନେଇ ଉପନିର୍ବାଚନ ହେବ । ଏନେଇ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏପ୍ରିଲ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଏପ୍ରିଲ ୨୦ ପର୍ୟ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରାଯିବ । ୨୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବାକୁ ଥିବାବେଳେ ୨୪ ତାରିଖ ପର୍ୟ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିହେବ । ମେ ୧୦ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ମେ ୧୩ରେ ଭୋଟ ଗଣତି କରାଯିବା ନେଇ ଦିନ ଧାର୍ୟ୍ୟ କରାଯାଇଛି । ତେବେ ଏହାରି ଭିତରେ ରାଜ୍ୟର ତିନି ପ୍ରମୁଖ ଦଳ ଝାରସୁଗୁଡା ଉପ ନିର୍ବାଚନ ପାଇଁ କାହାକୁ ଟିକେଟ୍ ଦେବେ ତାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା ଆଉ ଆଲୋଚନା ।
କଂଗ୍ରେସ କଥା ଯଦି କହିବା, କଂଗ୍ରେସରେ ମଧ୍ୟ ଦୁଇ ଜଣ ପ୍ରାର୍ଥୀ ଟିକେଟ୍ ରେସରେ ଅଛନ୍ତି । ଗତ ସାଧାରଣ ନିର୍ବାଚନରେ ଝାରସୁଗୁଡାରୁ କଂଗ୍ରେସ ପ୍ରାର୍ଥୀ ଥିବା ମହେନ୍ଦ୍ର ନାୟକ ଏଥର ପୁଣିଥରେ ଉପ ନିର୍ବାଚନ ଟିକେଟ୍ ହାତେଇବାକୁ ରେସରେ ଅଛନ୍ତି । ଅନ୍ୟପଟେ ଝାରସୁଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ବିରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ମଧ୍ୟ କଂଗ୍ରେସ ଟିକେଟ୍ ହାତେଇବାକୁ କସରତ କରୁଥିବା ସୂଚନା ମିଳୁଛି । ତେଣୁ ତରୁଣ କିମ୍ବା ମହେନ୍ଦ୍ରଙ୍କୁ ଟିକେଟ୍ ଦେଇ କଂଗ୍ରେସ ଏଥର ଝାରସୁଗୁଡା ଉପ ନିର୍ବାଚନ ଲଢିପାରେ ବୋଲି କୁହାଯାଉଛି ।




admin 