ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆଜିଠୁ
ଭୁବନେଶ୍ୱର: ଧର୍ମଘଟ ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ। ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇପାରେ ଯାନବାହନ ସେବା। ଆଜିଠୁ ହଲ୍ଳାବୋଲ କରିବ ଓଡ଼ିଶା ଡ୍ରାଇଭର ମହାସଂଘ। ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ଡାକରା ଦେଇଛି ମହାସଂଘ। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ୍, ସଡକ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ।ତେବେ ଆନ୍ଦୋଳନରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ଟ୍ରକ୍ ମାଲିକ ସଂଘ ସମେତ ୨୦ରୁ ଅଧିକ ସଂଘ ସାମିଲ ହେଉନଥିବାରୁ ମୁହାଁମୁହିଁ ସ୍ଥିତି ଉପୁଜିବାର ଆଶଙ୍କା ରହିଛି।
ଡ୍ରାଇଭର ସଂଘର ଆନ୍ଦୋଳନ ବେଳେ ଭୁବନେଶ୍ୱରରେ ଲୋକେ ଯେଭଳି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିଲାଗି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ୍ ପୁଲିସ। ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି।ଯଦି କେହି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ୧୧୨କୁ କଲ୍ କରିବା ଲାଗି ପୁଲିସ କମିଶନର ପରାମର୍ଶ ଦେଇଛନ୍ତି।




admin 