ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର ଓ ଅଶ୍ୱିନୀ ବୈଷ୍ଣବ, କେବେ ଜାଣନ୍ତୁ
ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର ଓ ଅଶ୍ୱିନୀ ବୈଷ୍ଣବ, କେବେ ଜାଣନ୍ତୁ
ଭୁବନେଶ୍ୱର : ଆସନ୍ତା ୧୯ତାରିଖରୁ ବିଜେପି ପକ୍ଷରୁ ସାରା ଦେଶରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହେବ । ଏଥିରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମନ୍ତ୍ରୀମାନେ ଦେଶର ପ୍ରାୟ ୨୧୨ଟି ସଂସଦୀୟ କ୍ଷେତ୍ରକୁ ଯାଇ ଜନଆଶୀର୍ବାଦ ଲୋଡ଼ିବେ । ଏହି ଜନ ଆଶୀର୍ବାଦ ଯାତ୍ରା ୧୪୨ଦିନ ଯାଏଁ ଚାଲିବ । ଏହି ଜନଆଶୀର୍ବାଦ ଯାତ୍ରାରେ ଯୋଗଦେବା ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଆସନ୍ତା ୧୯ତାରିଖରେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ଯେ, ୧୯ତାରିଖ ସକାଳେ ଉଭୟ ମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧାସଳଖ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ । ଏହାପରେ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ । ଏହାପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୯ତାରିଖ ସଂଧ୍ୟାରେ ହିଁ ରେଳ ଯୋଗେ ରାୟଗଡ଼ା ଯିବେ । ୨୦ତାରିଖ ସକାଳୁ ସେ କୋରାପୁଟ ଗସ୍ତ କରି ସେଠାରେ ରାତ୍ରିଯାପନ କରିବେ । ୨୧ରେ ଜୟପୁର, ନବରଙ୍ଗପୁର ଦେଇ ଭବାନୀପାଟଣା ଗସ୍ତ କରିବେ । ୨୨ରେ କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜୀ, ପାଟଣାଗଡ଼ ହୋଇ ବଲାଙ୍ଗୀର ଯିବେ । ଉକ୍ତ ସଂଧ୍ୟାରେ ଶ୍ରୀ ବୈଷ୍ଣବ ବଲାଙ୍ଗୀରରୁ ଭୁବନେଶ୍ୱର ଫେରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ଏହି ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ୭ଟି ଜିଲ୍ଲା, ୬ଟି ଲୋକସଭା ଅଞ୍ଚଳରେ ୧୧୫ଟି ସ୍ଥାନରେ ଅନୁଷ୍ଠିତ ହେବାକୁ ସଭା ଓ କାର୍ଯ୍ୟକ୍ରମରେ ଯୋଗଦେବେ । ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରିବେ । ଅନ୍ୟତମ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଅସୁସ୍ଥ ଥିବାରୁ ତାଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।




admin 