ଏ ପର୍ଯ୍ୟନ୍ତ ୨୦ଟି ଜିଲ୍ଲାରେ ବସ ଚଳାଚଳ ସ୍ୱାଭାବିକ ହୋଇପାରିନି

ଏ ପର୍ଯ୍ୟନ୍ତ ୨୦ଟି ଜିଲ୍ଲାରେ ବସ ଚଳାଚଳ ସ୍ୱାଭାବିକ ହୋଇପାରିନି

ଏ ପର୍ଯ୍ୟନ୍ତ ୨୦ଟି ଜିଲ୍ଲାରେ ବସ ଚଳାଚଳ ସ୍ୱାଭାବିକ ହୋଇପାରିନି

ଭୁବନେଶ୍ୱର : ରାଜ୍ୟ ସରକାର ଜୁଲାଇ ୧ରୁ ୨୦ଟି ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି ଦେଇଥିଲେ ହେଁ ଏନେଇ ଗାଇଡଲାଇନ୍ ଜାରି କରିନାହାନ୍ତି । ତେଣୁ ବସ ମାଲିକମାନେ କିପରି ବସ ଚଳାଚଳ କରିବେ, ସେନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । ଏପରିକି ବସ ମାଲିକମାନେ ରାଜ୍ୟ ସରକାରଙ୍କଠାରୁ ଟିକସ ଛାଡ଼ ଏବଂ ଅନ୍ୟାନ୍ୟ ସହାୟତା ଆଶା କରୁଥିବା ବେଳେ କିଛି ନିଷ୍ପତ୍ତି ହୋଇ ନଥିବାରୁ ଏ ପର୍ଯ୍ୟନ୍ତ ୨୦ଟି ଜିଲ୍ଲାରେ ବସ ଚଳାଚଳ ସ୍ୱାଭାବିକ ହୋଇପାରିନି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଖୁବଶୀଘ୍ର ଜିଲ୍ଲା ଭିତରେ ବସ ଚଳାଚଳ ପାଇଁ ଗାଇଡଲାଇନ୍ ଆସିବ । ଆରଟିଓ ଓ ବସ ସଂଘଗୁଡ଼ିକୁ ଗାଇଡଲାଇନ୍ ଜଣାଇ ଦିଆଯିବ । କିନ୍ତୁ ଏବେ ଯେଉଁମାନେ ବସ ଚଳାଚଳ କରୁଛନ୍ତି, ସେମାନେ ବସ ସିଟ ଅନୁସାରେ ଲୋକ ନେବେ । କାହାକୁ ଛିଡ଼ା କରି ନେଇପାରିବେନି । ବସରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯିଏ ମାସ୍କ ପିନ୍ଧି ନଥିବେ, ତାଙ୍କୁ ବସରେ ନ ଉଠାଇବାକୁ କୁହାଯାଇଛି । ଏହାସହ ପ୍ରତିଦିନ ବସଗୁଡ଼ିକୁ ବିଶୋଧନ କରିବାକୁ କୁହାଯାଇଛି । ଏହାକୁ କଡ଼ାକଡ଼ି ମାନିବାକୁ ବସ ମାଲିକ ସଂଘକୁ କୁହାଯାଇଛି । ଏନେଇ ଆରଟିଓମାନେ ଯାଞ୍ଚ କରିବେ । ସେହିପରି ବସ ମାଲିକମାନଙ୍କ ଦାବି ନେଇ ଖୁବ ଶୀଘ୍ର ଆଲୋଚନା କରାଯିବ । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି, ରାୟଗଡ଼ା ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । ହେଲେ ଭୁବନେଶ୍ୱର ଓ କଟକକୁ ବସ ଚଳାଚଳ ପାଇଁ ଅନୁମତି ନଥିବାରୁ ବହୁ ବସ ଏବେ ବି ଗଡ଼ିବା ସମ୍ଭବ ନୁହେଁ ।