ଏରସମାରେ କରୋନା ଗୁଜବ, ସରପଞ୍ଚଙ୍କ ସମେତ ୪ ଗିରଫ
ଏରସମାରେ କରୋନା ଗୁଜବ, ସରପଞ୍ଚଙ୍କ ସମେତ ୪ ଗିରଫ
admin
Mar 28, 2020 - 08:27
Updated: Mar 28, 2020 - 08:27
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମାରେ କରୋନା ଗୁଜବ ସୃଷ୍ଟି କରିଥିବା ଜଣେ ସରପଞ୍ଚ ଓ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି ।
ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତର ଜଣେ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇଥିବା ନେଇ ଏକ ଗୁଜବ ଘୂରି ବୁଲିଥିଲା । ଜଗତସିଂହପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଟୋକନ ଓ ପ୍ରେସକ୍ରିପସନ ଫଟୋ କପି ସହ ହ୍ୱାଟସଆପରେ ଏହା ଭାଇରାଲ ହୋଇଥିଲା । ଏଥିରେ ଜଣେ ଯୁବକ ସମ୍ପୃକ୍ତ, ଯିଏ କି ଏବେ ବି ଫେରାର ଅଛି ।
ଏହି ଗୁଜବ ଚାରିଆଡ଼େ ଖେଳିଗଲା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା । ଶୁକ୍ରବାର ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଏରସମା ବ୍ଲକ ଜାନକାଦେଇପୁର ପଞ୍ଚାୟତ ସରପଞ୍ଚ ଦୀପକ ଦାସ, ଏରସମା ବ୍ଲକର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ ସେଠୀ, ସିଆ ଗ୍ରାମର ଉମେଶ ରାଉତ ଓ ଏରସମାର ଜ୍ୟୋତି ପ୍ରକାଶ ସାହୁ ଓରଫ ରଙ୍ଗାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସେଠୀ ଏହି ବାର୍ତ୍ତାଟିକୁ ବିଜେଡିର ଏକ ଗ୍ରୁପରେ ପୋଷ୍ଟ କରିବା ପରେ ବିଭିନ୍ନ ବ୍ୟକ୍ତି ଏହାକୁ ସେୟାର କରିଥିଲେ ବୋଲି ଏରସମା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମାଝୀଙ୍କ ଠାରୁ ଜଣାପଡ଼ିଛି । ସେହିପରି ପାରାଦୀପର ପିଆଇସିଟିର ଜଣେ କର୍ମଚାରୀଙ୍କୁ କରୋନା ହୋଇଥିବା ନେଇ ଫେସବୁକରେ ଏକ ସୂଚନା ପୋଷ୍ଟ କରାଯାଇଥିଲା । ଏ ନେଇ ପାରାଦୀପ ଆଦର୍ଶ ଥାନାରେ ଏକ ଏତଲା ଦିଆଯାଇଥିଲା । ଫେସବୁକରେ ପୋଷ୍ଟ କରିଥିବା ଯୁବକ ଜଣକ ଫେରାର ହୋଇଯାଇଛି ।