ଏପ୍ରିଲ୍ ୧ରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା
ଏପ୍ରିଲ୍ ୧ରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା' କାର୍ୟ୍ୟକ୍ରମ ଆସନ୍ତା ଏପ୍ରିଲ ୧ରେ ଅନୁଷ୍ଠିତ ହେବ। ଦଶମ ଏବଂ ଦ୍ବାଦଶ ଶ୍ରେଣୀ ସମେତ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସମୟରେ ଚାପ ଦୂର କରିବା ପାଇଁ ମନ୍ତ୍ର ଦେବେ । ଏପ୍ରିଲ ୧ ତାରିଖ ନୂଆଦିଲ୍ଲୀର ଟକ୍କାଟୋରା ଷ୍ଟାଡିୟମରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ମଧ୍ୟ ସାମିଲ ହେବେ ।
କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଏହି ଆଲୋଚନାକୁ ଭର୍ଚ୍ଚୁଆଲ ମାଧ୍ୟମରେ ଆୟୋଜନ କରାଯିବାର ବ୍ୟବସ୍ଥା ଥିଲା। ମାତ୍ର କୋରୋନା ସ୍ଥିତିରେ ସୁଧାର ଆସୁଥିବା ପରେ ଏହି କାର୍ୟ୍ୟକ୍ରମ ଆୟୋଜନ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା' କାର୍ୟ୍ୟକ୍ରମର ତାରିଖ ଘୋଷଣା କରିଛି ଗଣଶିକ୍ଷା ମନ୍ତ୍ରଣାଳୟ। ଯେଉଁଥିରେ ଛାତ୍ରମାନେ ପୂର୍ବ ପରି ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ପରୀକ୍ଷା ଏବଂ ଅଧ୍ୟୟନ ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା କରିପାରିବେ ।ଛାତ୍ରମାନଙ୍କ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ଏହି ଆଲୋଚନା ୨୦୧୮ରୁ ଆରମ୍ଭ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ଏହା ଆୟୋଜିତ ହୋଇଆସୁଛି । ଏହି ଆଲୋଚନାରେ ସାମିଲ ହେବା ପାଇଁ ଡିସେମ୍ବରରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା । ମନ୍ତ୍ରଣାଳୟ ଅନୁଯାୟୀ ପ୍ରାୟ ୧୨ ଲକ୍ଷ ଛାତ୍ରଛାତ୍ରୀ ଏବଂ ତିନି ଲକ୍ଷ ଶିକ୍ଷକ ଏହି ଆଲୋଚନାରେ ଭାଗ ନେବାକୁ ପଞ୍ଜୀକୃତ କରିଛନ୍ତି।




admin 