ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ତିହିଡି: ଧାମନଗର ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ । ଆଜି ବିଜେପି ପ୍ରାର୍ଥୀ ସୂର୍ୟ୍ୟବଂଶୀ ସୂରଜ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବେ । କିନ୍ତୁ ବିଜୁ ଜନତା ଦଳ ପ୍ରାର୍ଥୀ କିଏ ହେବ ତାହା ଏ ପର୍ୟ୍ୟନ୍ତ ଜଣାପଡ଼ିନି ।
ବ୍ରଜରାଜନଗର ଭଳି ଧାମନଗର ସଂରକ୍ଷିତ ଆସନ ଉପନିର୍ବାଚନରେ ଆମ ଦଳ ବିଜେଡି ସହ ଲଢେଇ କରିବ । ଏଥିପାଇଁ ବୁଥ ଓ ପଞ୍ଚାୟତସ୍ତରରେ ଦଳ ଧାମନଗରରେ ସଂଗଠନ ଆରମ୍ଭ କରିଛି । ମଙ୍ଗଳବାର ଦଳ ପ୍ରାର୍ଥୀ ଘୋଷଣା କରିବ । ପର୍ୟ୍ୟବେକ୍ଷକଙ୍କ ଗସ୍ତ ପରେ ଜିଲ୍ଲା କମିଟି ସହିତ ଆଲୋଚନା କରି ଯେଉଁ ପ୍ରାର୍ଥୀ ତାଲିକା ଆମ ପାଖକୁ ଆସିଛି ତାହାକୁ ଆମେ ଏଆଇସିସିକୁ ପଠାଇ ଦେଇଛୁ । ପ୍ରାର୍ଥୀ ଘୋଷଣା ପରେ ଜୋରଦାର ପ୍ରଚାର ଦଳ ଆରମ୍ଭ କରିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସୋମବାର ଏକ ଜରୁରି ବୈଠକ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପୌରହିତ୍ୟରେ ଭୁବନେଶ୍ୱର କାର୍ୟ୍ୟାଳୟରେ ଆୟୋଜିତ ହୋଇଥିଲା । ଏଥିରେ ପ୍ରାକ୍ତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚଚନ୍ଦନ, ବରିଷ୍ଠ ନେତା ଶରତ ରାଉତ ପ୍ରମୁଖ ଯୋଗ ଦେଇଥିଲେ । କଂଗ୍ରେସର ସ୍କାନିଂ କମିଟି ତିନିଜଣଙ୍କ ନାମକୁ ସୁପାରିସ କରିଛି । ଏହି ତିନିଜଣଙ୍କ ନାମ ଏଆଇସିସି କମିଟିକୁ ଦିଆଯାଇଛି । ଅନନ୍ତ ସେଠୀ, ବାବା ହରେକୃଷ୍ଣ ସେଠୀ ଏବଂ ହୃଦାନନ୍ଦ ସେଠୀଙ୍କ ନାମ ଆଗରେ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ମଙ୍ଗଳବାର ଟିକଟ ଘୋଷଣା ପରେ ୧୪ରେ ନାମାଙ୍କନ ଦାଖଲ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ୧୪ ତାରିଖ ପ୍ରାର୍ଥିପତ୍ର ଦାଖଲ ଦିନ କଂଗ୍ରେସ ତାର ଶକ୍ତି ଦେଖାଇବ ଜିଲ୍ଲାରେ । ସାରା ଭଦ୍ରକ ଜିଲ୍ଲାର ୭ଟି ବ୍ଲକର ନେତୃବୃନ୍ଦଙ୍କ ସହ ସାରା ଓଡିଶାର ପିସିସିର ନେତୃବୃନ୍ଦ ନାମାଙ୍କନ ରାଲିରେ ଯୋଗଦେଇ କର୍ମୀଙ୍କ ମନୋବଳ ବଢାଇବେ । ବିଜେପୁର ନିର୍ବାଚନ ଭଳି ଏଠାରେ ବିଜେଡି ସହ ଲଢେଇ କରିବ କଂଗ୍ରେସ ବୋଲି ଜିଲ୍ଲା ସଭାପତି ଘୋଷଣା କରିଛନ୍ତି ।

ବିଜେପି ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ୟ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କୁ ଦଳ ପ୍ରାର୍ଥୀ କରିଛି । ମଙ୍ଗଳବାର ସୂରଜ ପ୍ରାର୍ଥିପତ୍ର ଦାଖଲ କରିବେ । ଏଥିପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । 

ବିଜୁ ଜନତା ଦଳ ସୂର୍ୟ୍ୟବଂଶୀଙ୍କ ବିପକ୍ଷରେ କାହାକୁ ଟିକଟ ଦେବ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡିଛି । ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସପକ୍ଷରେ ସବୁ ମହଲ ପ୍ରଶଂସା କରୁଥିଲେ ମଧ୍ୟ ନିଜ ଧର୍ମପତ୍ନୀ ସାଂସଦ ଥିବାରୁ ଗୋଟିଏ ପରିବାରକୁ ଦୁଇଟି ଟିକଟ୍‌ ଦେବା ସପକ୍ଷରେ ବିଜେଡି ନାହିଁ । ସେହିପରି ଉପ ନିର୍ବାଚନରେ ପରାଜିତ ପ୍ରାର୍ଥୀଙ୍କୁ ଟିକଟ୍‌ ଦେବା ସପକ୍ଷରେ ବି ଦଳ ନାହିଁ । ୨୦୧୯ ସାଧାରଣ ନିର୍ବାଚନରେ ରାଜେନ୍ଦ୍ର ଦାସ ବିଜେଡି ଟିକଟ୍‌ ପାଇ ବିଜେପି ପ୍ରାର୍ଥୀ ବିଷ୍ଣୁଙ୍କ ନିକଟରୁ ହାରିଥିବାରୁ ବାଲେଶ୍ୱର ଉପନିର୍ବାଚନ ଢାଞ୍ଚାରେ ତାଙ୍କୁ ଦଳ ଟିକେଟ୍‌ ଦେବା ସପକ୍ଷରେ ନାହିଁ । ତେଣୁ ଆଶାୟୀ ଅନ୍ୟ ୫ ନୂଆ ପ୍ରାର୍ଥୀଙ୍କ ମଧ୍ୟରୁ ଜଣକୁ ଖୋଜୁଛି । ବିଧାୟକ ବ୍ୟୋମକେଶ ରାୟଙ୍କ ଡାକ୍ତର ବନ୍ଧୁ ଲୋକ ସମ୍ପର୍କରେ ନଥିଲେ ମଧ୍ୟ ତାଙ୍କୁ ଆମଦାନୀ ନେତା ହିସାବରେ ଟିକଟ ଦେବାକୁ ଅବଗଣନା କରୁଛି ।

ସେହିପରି ନାରୀନେତ୍ରୀ ଦେବକୀ ଦାସଙ୍କ ନାମ ଜୋରଦାର ଆଲୋଚନା ହେଉଥିବା ବେଳେ ଆହୁରି ଜଣେ ନାରୀନେତ୍ରୀଙ୍କ ନାମ ବି ଶୁଣାଯାଉଛି । ୨୦୧୪ରେ ବିଜେଡି ସାଂସଦ ପ୍ରାର୍ଥୀ ଅର୍ଜୁନ ସେଠୀଙ୍କ ବିରୋଧରେ ଭାଜପା ଟିକଟରେ ସାଂସଦ ଭାବେ ଲଢି ଚର୍ଚ୍ଚିତ ଥିବା ଶରତ ଦାସ ଏବେ ୨୦୧୯ରୁ ବିଜେଡିରେ । ତାଙ୍କୁ ଦଳ ଟିକଟ ଦେଇପାରେ ବୋଲି କେତେକ କହୁଛନ୍ତି । ଅନ୍ୟପକ୍ଷରେ ଦଳିତ ନେତା ରାଜେନ୍ଦ୍ର ଜେନା ଓ ବିବେକାନନ୍ଦ ସାମଲଙ୍କ ନାମ ବି ତାଲିକାରେ ରହିଛି । ତଥାପି ମଧ୍ୟ ବିଜେଡି ରାଜୁ ନା ଶରତ ନା ଡାକ୍ତର ସଂଜୟ କାହାକୁ ଟିକଟ୍‌ ଦେବେ ଏଯାଏ ନିଷ୍ପତ୍ତି ନେଇ ପାରୁନି ।