ଇସ୍ତଫା ଦେଲେ ଉଦ୍ଧବ

ଇସ୍ତଫା ଦେଲେ ଉଦ୍ଧବ

ଇସ୍ତଫା ଦେଲେ ଉଦ୍ଧବ

ମୁମ୍ବାଇ : ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ । ଗୁରୁବାର ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଠାକରେ ।ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରଠାରୁ ମହାରାଷ୍ଟ୍ରରେ ମହାମେଣ୍ଟ ସରକାର ମୁଣ୍ଡରେ ଖଣ୍ଡା ଝୁଲୁଥିଲା । ଶେଷରେ ଉଦ୍ଧବ ଠାକରେ ସରକାରର ପତ୍ତନ ଘଟିଛି ।କେବଳ ମୁଖ୍ୟମନ୍ତ୍ରୀ ପଦରୁ ନୁହେଁ ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଘୋଷଣା କରିଛନ୍ତି ଉଦ୍ଧି ଠାକରେ । ସାମାଜିକ ଗଣମାଧ୍ୟମ ଫେସବୁକ୍‌ ପେଜରେ ଲାଇଭ୍‌ ଆସି ଏହା ଘୋଷଣା କରିଛନ୍ତି ଉଦ୍ଧବ । ଏହା ସହିତ ସେ କହିଛନ୍ତି, ‘ଅପ୍ରତ୍ୟାସିତ ଭାବେ ମୁଖ୍ୟମନ୍ତ୍ରୀ ହୋଇଥିଲି ଏବେ ମଧ୍ୟ ସେହି ଅପ୍ରତ୍ୟାସିତ ଭାବେ ଇସ୍ତଫା ଦେଉଛି । ପୁରାପୁରୀ ଭାବେ ରାଜନୀତିରୁ ଯିବାର ପ୍ରଶ୍ନ ଉଠୁନାହିଁ । ମୁଁ ଏଠାକୁ ପୁଣି ଆସିବି ଏବଂ ଶିବସେନା ଭବନରେ ବସିବି । ଶିବ ସୈନିକଙ୍କୁ ଏକାଠି କରିବାକୁ ଉଦ୍ୟମ କରିବି’ ।ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ତମ୍ବିତୋଫାନ ନୂଆ ମୋଡ ନେଇଛି । ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ କୋର୍ଟ । ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ଦାବି କରିଥିଲା । ଯାହାକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ତେବେ କୋର୍ଟ ଏହାର ଶୁଣାଣି କରି କହିଥିଲେ, ‘ଆସନ୍ତାକାଲି ଅର୍ଥାତ ଗୁରୁବାର ହିଁ ମହାରାଷ୍ଟ୍ର ବିଧାନସଭାରେ ଫ୍ଳୋର ଟେଷ୍ଟ ହେବ’। ସୁପ୍ରିମକୋର୍ଟଙ୍କ ଦ୍ବାରା ଜଷ୍ଟିସ୍‌ ସୂର୍ୟ୍ୟକାନ୍ତ ଏବଂ ଜଷ୍ଟିସ୍‌ ଜେ. ବି ପାରଡିଓ୍ବାଲାଙ୍କୁ ନେଇ ଗଠିନ ବେଞ୍ଚ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ ।ଗୁରୁବାର ହେବାକୁ ଥିବା ଫ୍ଲୋର ଟେଷ୍ଟରେ ଯାହା ବି ଫଳାଫଳ ବାହାରିବ ତାହା ହିଁ ଚୂଡାନ୍ତ ବୋଲି ସୁପ୍ରିମକୋର୍ଟ କହିଥିଲେ । ପୂର୍ବରୁ ରାଜ୍ୟପାଳ ମଧ୍ୟ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କହିଥିଲେ । କିନ୍ତୁ ଏହାକୁ ବେଆଇନ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ ଶିବସେନା ମୁଖ୍ୟ ସଚେତକ ସୁନୀଲ ପ୍ରଭୁ । ସୁନୀଲଙ୍କ ଦ୍ବାରା କୋର୍ଟରେ ଦାଖଲ ହୋଇଥିବା ପିଟିସନ୍‌ ଉପରେ ଶୁଣାଣି କରି ଏଭଳି ରାୟ ଶୁଣାଇଥିଲେ କୋର୍ଟ । ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ବେଞ୍ଚ କହିଥିଲେ, ‘ଆସନ୍ତାକାଲି ଅର୍ଥାତ ଗୁରୁବାର ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପରୀକ୍ଷା କରାଯିବ । ଏଥିରେ ଯାହା ବି ଫଳାଫଳା ବାହାରିବ ତାହା ହିଁ ଚୂଡାନ୍ତ’ ।