ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସାଙ୍ଘାତିକ ତଥ୍ୟ, ଶିନା ବୋରା ବଞ୍ଚିଛି!

ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସାଙ୍ଘାତିକ ତଥ୍ୟ, ଶିନା ବୋରା ବଞ୍ଚିଛି!

ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସାଙ୍ଘାତିକ ତଥ୍ୟ, ଶିନା ବୋରା ବଞ୍ଚିଛି!

ମୁମ୍ବାଇ: ୨୦୧୨ ମସିହା ଶୀନା ବୋରା ହତ୍ୟାକାଣ୍ତ ମାମଲାରେ ୨୦୧୫ରୁ ଗିରଫ ହୋଇଥିବା ପୂର୍ବତନ ମିଡିଆ ଏକ୍ସ୍ୟୁକେଟିଭ ଇନ୍ଦ୍ରାଣୀ ମୁଖାର୍ଜୀ ସାଂଘତିକ ତଥ୍ୟ ଦେଇଛନ୍ତି। ତାଙ୍କ ଝିଅ ଶୀନା ବୋରା ବଞ୍ଚିଛନ୍ତି ଓ ସେ କଶ୍ମୀରରେ ରହିଛନ୍ତି ବୋଲି ଇନ୍ଦ୍ରାଣୀ ସିବିଆଇକୁ ଚିଠି ଲେଖିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହାପରେ ସିବିଆଇ ଟିମ୍‌ କଶ୍ମୀରରେ ଶୀନା ବୋରାଙ୍କୁ ଖୋଜିବା ଆରମ୍ଭ କରିଛି।
ନିକଟରେ ସିବିଆଇ ନିର୍ଦ୍ଦେଶକଙ୍କୁ ଇନ୍ଦ୍ରାଣୀ ଲେଖିଥିବା ଚିଠିରେ ଦାବି କରିଛନ୍ତି ଯେ ନିକଟରେ ସେ ଜେଲର ଜଣେ କଏଦୀଙ୍କ ସହ କଥା ହୋଇଥିଲେ। ଏହି ସମୟରେ କଏଦୀ ଜଣଙ୍କ ଶୀନା ବୋରା କଶ୍ମୀରରେ ଥିବା ତାଙ୍କୁ ଅବଗତ କରାଇଥିଲେ। ତେଣୁ ଇନ୍ଦ୍ରାଣୀ କଶ୍ମୀରରେ ଶୀନା ବୋରାଙ୍କୁ ଖୋଜିବା ପାଇଁ ସିବିଆଇକୁ କହିଛନ୍ତି। ଚିଠି ବ୍ୟତୀତ ସେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଗୋଟିଏ ଆବେଦନ ଦାଖଲ କରିଛନ୍ତି। ଏହା ଖୁବଶୀଘ୍ର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଶୀନା ବୋରା ହତ୍ୟାକାଣ୍ଡରେ ଇନ୍ଦ୍ରାଣୀ ମୁଖାର୍ଜୀ ୨୦୧୫ରୁ ମୁମ୍ବାଇର ବାଇକୁଲା ଜେଲରେ ଅଛନ୍ତି। ଗତ ମାସରେ ତାଙ୍କ ଜାମିନ ଆବେଦନ ବମ୍ବେ ହାଇକୋର୍ଟରେ ଖାରଜ ହୋଇଥିଲା। ଏବେ ତାଙ୍କ ଓକିଲ ସାନା ଖାନ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିବେ। ଏସବୁ ଭିତରେ ଶୀନା ବୋରା ବଞ୍ଚିଛନ୍ତି ବୋଲି ଇନ୍ଦ୍ରାଣୀ ଦାବି କରିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଛି।

୨୦୧୨ରେ ଶୀନା ବୋରାଙ୍କୁ ହତ୍ୟା କରାଯାଇଥିଲେ ହେଁ ୩ ବର୍ଷ ପରେ ଏହା ସାମ୍ନାକୁ ଆସିଥିଲା। ଗୋଟିଏ ବନ୍ଧୁକ ସହ ଇନ୍ଦ୍ରାଣୀଙ୍କ ଡ୍ରାଇଭର ଶ୍ୟାମବର ରାୟ ଗିରଫ ହେବା ପରେ ତାଙ୍କୁ ଜେରା କରାଯାଇଥିଲା। ଏହି ସମୟରେ ସେ ଗୋଟିଏ ହତ୍ୟାକାଣ୍ଡର ସାକ୍ଷୀ ଥିବା ପୁଲିସ୍‌କୁ ଜଣାଇଥିଲେ।

୨୦୧୨ରେ ଇନ୍ଦ୍ରାଣୀ ମୁଖାର୍ଜୀ ମୁମ୍ବାଇରେ ଶୀନା ବୋରାଙ୍କ ତଣ୍ଟିଚିପି ହତ୍ୟା କରିଥିବା ସେ ପୁଲିସ୍‌କୁ ଜଣାଇଥିଲେ। ଶୀନା ବୋରାଙ୍କୁ ଇନ୍ଦ୍ରାଣୀ ନିଜର ସମ୍ପର୍କୀୟ ଭଉଣୀ ବୋଲି ପ୍ରଥମେ ସମସ୍ତଙ୍କୁ କହିଥିଲେ। ହେଲେ ବାସ୍ତବରେ ସେ ତାଙ୍କ ଝିଅ ବୋଲି ଜଣାପଡ଼ିଥିଲା। ଶୀନା ଓ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଇନ୍ଦ୍ରାଣୀ ଛାଡ଼ି ଦେଇଥିଲେ। ସେ ଦ୍ୱିତୀୟ ବିବାହ କରିଥିବାରୁ ଶୀନା ତାଙ୍କୁ ମୁମ୍ବାଇରେ ଗୋଟିଏ ଘର ଦେବାକୁ ବ୍ଲାକମେଲ କରୁଥିଲେ।

ଇନ୍ଦ୍ରାଣୀଙ୍କ ଗିରଫ ହେବା ପରେ ତାଙ୍କ ପ୍ରଥମ ସ୍ୱାମୀ ସଞ୍ଜୀବ ଖାନ୍ନାଙ୍କୁ ମଧ୍ୟ ପୁଲିସ୍ ବାନ୍ଧିଥିଲା। ଷଡ଼ଯନ୍ତ୍ର ଅଭିଯୋଗରେ ସିବିଆଇ ପିଟର ମୁଖାର୍ଜୀଙ୍କୁ ମଧ୍ୟ ଗିରଫ କରିଥିଲା। ଏତେ ସବୁ ପରେ ଇନ୍ଦ୍ରାଣୀ ଏବେ ଶୀନା ବଞ୍ଚିଥିବା କଥା କହିଛନ୍ତି।