ଆମଘର ହାଲ୍ଚାଲ’ରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଟାର୍ଗେଟ୍ କଲେ ସୌମ୍ୟ
ଆମଘର ହାଲ୍ଚାଲ’ରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଟାର୍ଗେଟ୍ କଲେ ସୌମ୍ୟ
ଭୁବନେଶ୍ୱର: ବାରମ୍ବାର ସାରକାରଙ୍କୁ ଘେରୁଥିବା, ସରକାରଙ୍କୁ ଅକଳରେ ପକାଉଥିବା ଏବେ ସରକାରଙ୍କ ଦାୟିତ୍ବବୋଧ ପ୍ରତି ପ୍ରଶ୍ନ ଉଠାଉଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପୁଣି ଥରେ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ସରକାରଙ୍କର କର୍ତ୍ତବ୍ୟ କ’ଣ ହେବା ଦରକାର ତାହା ସୂଚାଇ ଦେଇଛନ୍ତି। ଦଳ ଆଗ ନା ମାଟି ଆଗ ସେ ବାବଦରେ ପ୍ରଶ୍ନ କରିଛନ୍ତି। କର୍ତ୍ତବ୍ୟ ଆଗ ନା ପାର୍ଟି ଆଗ ବୋଲି ସେ ଚେତାାଇ ଦେଇଛନ୍ତି। ତାଙ୍କ ସଂପାଦନାରେ ପ୍ରକାଶ ପାଉଥିବା ‘ସମ୍ବାଦ’ର ସଂପାଦକୀୟ ‘ଆମ ଘର ହାଲ୍ଚାଲ୍’ ସ୍ତମ୍ଭରେ ‘ ବୃତ୍ତି,ପାର୍ଟି ଓ ମାଟି’ ଶୀର୍ଷକରେ ଏହିସବୁ ଆଲୋଚନା କରିଛନ୍ତି। ଏଥିରେ ମମିତା ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଦର୍ଶାଇଛନ୍ତି ।
ହତ୍ୟାକାଣ୍ଡର ପ୍ରାୟ ତିନି ସପ୍ତାହ ପରେ ଏକ ପ୍ରେସ ବିବୃତି ଦେଇ ଆମ ମନ୍ତ୍ରୀ ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଇଛନ୍ତି । ବୃତ୍ତି, ପାର୍ଟି, ମାଟିର ସ୍ୱାର୍ଥ କଥା ପୁଣି ମନକୁ ଆସୁଛି। ଏୟାର୍ଫୋର୍ସ ଜବାନ ଭାବରେ ସେ ଦେଶ ମ’ାର ସେବା କରୁଥିବା ବେଳେ ଜୀବନ ପଛ ଦେଶର ସୁରକ୍ଷା ଓ ସମ୍ମାନ ଆଗ ନ୍ୟାୟରେ ଲଢ଼େଇ କରୁଥିଲେ। ସେହି ନ୍ୟାୟରେ ମମିତା ଓ ତାଙ୍କ ପରିବାରକୁ ତଥା ଦଳର ମାନ ରକ୍ଷା ପାଇଁ ଆଗେଇ ଆସିବା ଦରକାର ବୋଲି ପରାମର୍ଶ ଦେଇଛନ୍ତି। ହତ୍ୟାପରି ଏକ ସମ୍ବେଦନଶୀଳ ଓ ଜଘନ୍ୟ ଅପରାଧରେ ଆଇନ ତା’ବାଟରେ ଯିବ । ସେଥିପାଇଁ ସେ ଏତେ ଦିନ ନିରବ ଥିଲେ । କିନ୍ତୁ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଓ ବିରୋଧୀ ରାଜନୈତିକ ଦଳଗୁଡିକ ତାଙ୍କୁ ବଦନାମ କରିବା ପାଇଁ ରୀତିମତ ଏକ ଅଭିଯାନ ଆରମ୍ଭ କରିଥିବା ପରି ମନେ ହେବାରୁ ସେ ମୁହଁ ଖୋଲିବାର ଆବଶ୍ୟକତା ଅନୁଭବ କଲେ । କିନ୍ତୁ ସେ କଣ ଭୁଲିଗଲେ କି, ସେ ଗୃହରାଷ୍ଟ୍ରମନ୍ତ୍ରୀ ଥିଲା ପର୍ୟ୍ୟନ୍ତ ତାଙ୍କର କଥିତ ସଂପୃକ୍ତି ଅଭିଯୋଗର ମୁକ୍ତ ଓ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।
ସମ୍ ହସ୍ପିଟାଲରେ ନିଆଁ ଲାଗିଯିବା ଘଟଣାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ବାବୁଙ୍କ କୌଣସି ଭୂମିକା ନ ଥିଲା । ତଥାପି ମୂଲ୍ୟବୋଧ, ଦଳ ଓ ସରକାରଙ୍କ ଭାବମୂର୍ତ୍ତି ଦୃଷ୍ଟିରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏହାଦ୍ୱାରା ଦୁଇପ୍ରକାର ମାପଦଣ୍ଡ ଲାଗୁ କରାଯାଇଛି ବୋଲି ଅଭିଯୋଗ ହେଲେ ଆମେ କି ଉତ୍ତର ଦେବା ବୋଲି ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ସମ୍ପାଦକୀୟରେ ପ୍ରଶ୍ନ କରିଛନ୍ତି ।




admin 