ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଶିମିଳିପାଳ ବନ୍ଦ

ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଶିମିଳିପାଳ ବନ୍ଦ

ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଶିମିଳିପାଳ ବନ୍ଦ

ବାରିପଦା:  ୧ ତାରିଖରୁ ଖୋଲିଥିବା ଶିମିଳିପାଳକୁ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ସକାଳୁ ସକାଳୁ ଘନ କୁହୁଡ଼ି ହେଉଛି । ଫଳରେ କିଛି ଦୃଶ୍ୟମାନ ହେଉନି। ବର୍ଷା ସମୟରେ ଶିମିଳିପାଳ ଭିତରକୁ ଯିବା ବିପଜ୍ଜନକ ଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ଘୋଷଣା କରିଛନ୍ତି ଶିମିଳିପାଳ ଜାତୀୟ ଉଦ୍ୟାନ ଉପନିର୍ଦ୍ଦେଶକ ସାଇକିରଣ ଡିଏନ୍ ।

ସୂଚନାଯୋଗ୍ୟ,  ମହାମାରୀ କରୋନା ପାଇଁ ଦୀଘଁ ଦିନ ବନ୍ଦ ରହିଥିଲା ଅଭୟାରଣ୍ୟ। କରୋନାର କୋପ କମିବା ପରେ ତାହା ଖୋଲିଥିଲା। ପରେ ଅର୍ଥାତ ମେ’ ୧୫ ତାରିଖରେ ବର୍ଷା ଋତୁକୁ ଆଖି ଆଗରେ ରଖି ବନ୍ଦ କରାଯାଇଥିଲା ଅଭୟାରଣ୍ୟ।  ବର୍ଷା ଦିନେ ଅଭୟାରଣ୍ୟ ମଧ୍ୟରେ ଥିବା ମାଟି ରାସ୍ତାରେ ଯିବା ସମ୍ଭବପର ହେଉ ନ ଥିବାରୁ ପ୍ରତି ବର୍ଷ ବର୍ଷାଋତୁରେ ଏହାକୁ ବନ୍ଦ କରାଯାଇଥାଏ । ଏହାପରେ ଶୀତ ଆଗମନ ହେଲେ ପର୍ୟ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍।

ନଭେମ୍ବର ୧ ତାରିଖରୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଥିବା ଶିମିଳିପାଳ ଗେଟ୍। ଚଳିତ ବର୍ଷ ଶିମିଳିପାଳକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇ ଥିବା ବେଳେ ପର୍ୟ୍ୟଟକମାନେ କୌଣସି ପ୍ଲାଷ୍ଟିକ ସାମଗ୍ରୀ ନେଇ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି କୁହାଯାଇଥିଲା। ଶିମିଳିପାଳ ଖୋଲିବା ପରେ ଏହାର ସୌନ୍ଦର୍ୟ୍ୟକୁ ଉପଭୋଗ କରିବାକୁ ତଥା ଏହାର ଘଞ୍ଚ ଜଙ୍ଗଲରେ ହଜି ଯିବାରୁ କାହିଁ କେତେ ଦୂରରୁ ଯାତ୍ରୀମାନେ ଧାଇଁ ଆସିଥିଲେ।  ଏହି ସମୟରେ ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ୍ ପଟୁ ଯାତ୍ରୀ ପ୍ରବେଶ ଅନୁମତି ମିଳିଥିଲା । ଉଭୟ ପାର୍ଶ୍ୱରୁ ୬୦ଟି ଗାଡ଼ିକୁ  ପ୍ରବେଶ ଅନୁମତି ମିଳିଥିବା ବେଳେ ସକାଳ ୭ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବାକୁ କୁହାଯାଇଥିଲା। ଏବେ ଶିମିଳିପାଳକୁ ପର୍ୟ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ଏପରି ହଠାତ୍ ବନ୍ଦ ଘୋଷଣା ଯୋଗୁ ସେମାନେ ନିରାଶ ହୋଇଛନ୍ତି। ଗତ ବର୍ଷ ଶିମିଳିପାଳକୁ ୪୩ ହଜାର ପର୍ୟ୍ୟଟକ ଆସିଥିବା ବେଳେ ୨ କୋଟି ୩୫ ଲ୭ ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା।