‘ଆଗାମୀ ୨୫ ବର୍ଷକୁ ଧ୍ୟାନରେ ରଖି ବଜେଟ୍ର କଳ୍ପନା କରାଯାଇଛି :ଧର୍ମେନ୍ଦ୍ର
‘ଆଗାମୀ ୨୫ ବର୍ଷକୁ ଧ୍ୟାନରେ ରଖି ବଜେଟ୍ର କଳ୍ପନା କରାଯାଇଛି :ଧର୍ମେନ୍ଦ୍ର
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବୁଧବବାର ସଂସଦରେ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ବିଭିନ୍ନ ବିଭାଗ ପାଇଁ ମୋଟ ୪୫ ଲକ୍ଷ ୩ ହଜାର ୯୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବଜେଟ୍କୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଅମୃତକାଳ ଭିତରେ ଅର୍ଥାତ୍ ଆଗାମୀ ୨୫ ବର୍ଷରେ ବିକଶିତ ଭାରତ ପାଇଁ ସଙ୍କଳ୍ପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏହାର ମୂଳଦୁଆ ଏହି ବଜେଟ୍ ମାଧ୍ୟମରେ ପଡିଛି । ଏହି ବଜେଟ୍ ସର୍ବସ୍ପର୍ଶୀ, ସମାବେଶୀ ହୋଇଛି । ସବୁ ବର୍ଗଙ୍କୁ ଦୃଷ୍ଟିରେ ରଖି ଯୋଜନା କରାଯାଇଛି । ମହିଳା ମାନଙ୍କ ରୋଜଗାର ବଢାଇବା ପାଇଁ ସଶକ୍ତ କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି।’
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଆଗାମୀ ୨୫ ବର୍ଷକୁ ଧ୍ୟାନରେ ରଖି ବଜେଟ୍ର କଳ୍ପନା କରାଯାଇଛି । କୃଷକଙ୍କୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଫାର୍ମ ସେକ୍ଟର ଇନଭେଷ୍ଟମେଣ୍ଟ ବ୍ୟୟ ବରାଦର ବ୍ୟବସ୍ଥା କରାଯାଇଛି । ମଧ୍ୟବିତ୍ତ ବର୍ଗଙ୍କ ପାଇଁ କର ଛାଡ ଘୋଷଣା କରାଯାଇଛି । ଆୟ କର ଜମା କରିବା ସୀମା ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ବିକାଶ, ଡିଜିଟାଲ ଭିତ୍ତିଭୂମି, ସବୁଜ ଭିତ୍ତିଭୂମି ଏବଂ ରୋଜଗାର ସୃଷ୍ଟିକୁ ଗତି ଦେବା ଭଳି ବଜେଟ୍ ପ୍ରସ୍ତୁତ କରାଯାଇଛି’।
ଶିକ୍ଷା ମନ୍ତ୍ରାଳୟକୁ ବଜେଟ୍ରେ ମିଳିଥିବା ଅନୁଦାନକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ପ୍ରଥମ ଥର ଶିକ୍ଷା ବିଭାଗର ବିକାଶ ପାଇଁ ସର୍ବାଧିକ ୧ ଲକ୍ଷ ୧୨ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଶିକ୍ଷା ବିଭାଗ ପାଇଁ ପୂର୍ବରୁ କେବେ ସରକାର ଏତେ ଅନୁଦାନ ଦେଇନଥିଲେ । ଜାତୀୟ ଶିକ୍ଷା ନୀତିକୁ କାର୍ୟ୍ୟକାରୀ କରିବାରେ ଶିକ୍ଷକମାନଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ତେଣୁ କୋଟିଏ ଶିକ୍ଷକଙ୍କ କାପାସିଟି ବିଲଡିଂର ଆବଶ୍ୟକତା ରହିଛି । ତେଣୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ନିବେଦନ କରିଥିଲୁ । ପିଏମ୍ ଏବଂ ଅର୍ଥମନ୍ତ୍ରୀ ଏଥିପାଇଁ ବିଶେଷ ସ୍କିମ୍କୁ ଅନୁମୋଦନ କରିଛନ୍ତି’।




admin 