‘ଅଗ୍ନି’ ସିରିଜ୍‌ର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ପରୀକ୍ଷ‌ଣ

‘ଅଗ୍ନି’ ସିରିଜ୍‌ର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ପରୀକ୍ଷ‌ଣ

‘ଅଗ୍ନି’ ସିରିଜ୍‌ର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର  ‘ଅଗ୍ନି-୫’ର ପରୀକ୍ଷ‌ଣ

ବାଲେଶ୍ବର : ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଥିବାବେଳେ ଭାରତ ଗୁରୁବାର ଦିନ ‘ଅଗ୍ନି’ ସିରିଜ୍‌ର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଫଳ ପରୀକ୍ଷା କରିଛି। ଗୁରୁବାର ସନ୍ଧ୍ୟା ୫ଟା ୫୦ ମିନିଟ୍‌ରେ ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ଏହି ଅନ୍ତଃମହାଦେଶୀୟ କ୍ଷେପଣାସ୍ତ୍ରକୁ ଭଦ୍ରକ ଜିଲ୍ଲା ଧାମରା ନିକଟ ବଙ୍ଗୋପସାଗର ଉପକୂଳ ଅବଦୁଲ କଲାମ୍‌ ଦ୍ବୀପର ୪ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଏହାର ପରୀକ୍ଷଣ କରିଛି।


‘ଅଗ୍ନି-୫’ ହେଉଛି ଅନ୍ତଃମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର। ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍‌କ୍ଷେପଣ ହେଉଥିବା ‘ଅଗ୍ନି-୫’ର ଲକ୍ଷ୍ୟଭେଦ କ୍ଷମତା ୫୦୦୦ରୁ ୮୦୦୦ କିମି ରହିଥିବାବେଳେ ଶତ୍ରୁପକ୍ଷର ଏହା ଅଶେଷ କ୍ଷତିସାଧନ କରିବାର ସାମର୍ଥ୍ୟ ରଖିଛି। ଏହି କ୍ଷେପଣାସ୍ତ୍ରରେ ୧୩୬୦ କେଜି ଓଜନର ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଏହାର ଲମ୍ବ ୧୭ ମିଟର, ଗୋଲେଇ ୨ ମିଟର, ଓଜନ ୫୦ ଟନ୍‌। ଉତ୍‌କ୍ଷେପଣ ପରେ ଏହା ସେକେଣ୍ତ ପିଛା ୪.୨ କିମି ତୀବ୍ର ବେଗରେ ଗତି କରି ୧୨ ମିନିଟ୍‌ରେ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା। ୨୦୧୨ ମସିହା ଏପ୍ରିଲ ୧୯ ତାରିଖରେ ‘ଅଗ୍ନି-୫’ର ପ୍ରଥମ ପରୀକ୍ଷା କରାଯାଇଥିବାବେଳେ ଆଜିକୁ ମିଶାଇ ମୋଟ୍‌ ୭ଥର ପରୀକ୍ଷଣ କରାଯାଇଛି।