୮୦ ଟପିଲା ଡିଜେଲ୍

୮୦ ଟପିଲା ଡିଜେଲ୍

୮୦ ଟପିଲା ଡିଜେଲ୍
ଭୁବନେଶ୍ବର : ଭୁବନେଶ୍ବରରେ ଆଜି ଡିଜେଲ ଦର ୮୦ ଟଙ୍କା ଟପିଛି। ଜୁନ ମାସରେ ଲଗାତାର ୨୩ ଦିନ ଏବଂ ଜୁଲାଇ ମାସରେ ୧୦ ଥର ଦର ବଢ଼ିବା ପରେ ଏଭଳି ସ୍ଥିତି ଦେଖାଦେଇଛି। ଗୋଟିଏ ପ‌ଟେ ପେଟ୍ରୋଲ ଦର ଗତମାସ ୨୯ ତାରିଖରୁ ସ୍ଥିର ଥିବାବେଳେ ଡିଜେଲ ଦର ବଢ଼ିବାରେ ଲାଗିଛି। ଏଥିଯୋଗୁ ସାରା ଦେଶରେ ଡିଜେଲ ଦର ବଢ଼ିଚାଲିଛି। ପୂର୍ବରୁ ଭୁବନେଶ୍ବରରେ ୨୦୧୮ ସେପ୍ଟେମ୍ବର ମାସରେ ଡିଜେଲ ଦର ୮୦ ଟଙ୍କା ଟପିଥିବାବେଳେ ଏବେ ଦୀର୍ଘ ପ୍ରାୟ ୨୨ ମାସ ପରେ ଡିଜେଲ ପୁଣି ଏହି ସ୍ତର ଟପିଛି। କେବଳ ସେତିକି ନୁହେଁ ପେଟ୍ରୋଲ ଦର ସ୍ଥିର ଥାଇ ଡିଜେଲ ଦର ବଢ଼ୁଥିବାରୁ ଏହି ଦୁଇ ଇନ୍ଧନ ମଧ୍ୟରେ ପାର୍ଥକ୍ୟ ହ୍ରାସ ପାଇବାରେ ଲାଗିଛି। ଏପରିକି ଅବସ୍ଥା ଏଭଳି ସୃଷ୍ଟି ହୋଇଛି ଯେ ଖୁବଶୀଘ୍ର ଭୁବନେଶ୍ବରରେ ପେଟ୍ରୋଲ ଦରକୁ ଡିଜେଲ ଦର ଟପିଯିବା ଆଶଙ୍କା ସୃଷ୍ଟି ହୋଇଛି। ଭୁବନେଶ୍ବରରେ ଆଜି ପେଟ୍ରୋଲ ଦର ୮୧ ଟଙ୍କା ୮୧ ପଇସା ଥିବାବେଳେ ଡିଜେଲ ଦର ତାହାଠାରୁ ମାତ୍ର ୯୯ ପଇସା କମ୍ ଅର୍ଥାତ୍ ୮୦ ଟଙ୍କା ୦୨ ପଇସା ରିହଛି। ଗତକାଲି ତୁଳନାରେ ଦର ୧୪ ପଇସା ବଢ଼ିଛି। ତେଣୁ ବର୍ତ୍ତମାନ ହାରରେ ଯଦି ଡିଜେଲ ଦର ବଢ଼େ ତାହେଲେ ଆଉ ଅଳ୍ପ ଦିନ ମଧ୍ୟରେ ଗ୍ରାହକଙ୍କୁ ଡିଜେଲ କିଣିବା ପାଇଁ ପେଟ୍ରୋଲ ଠାରୁ ଅଧିକ ଦର ଦେବାକୁ ପଡ଼ିବ। ଆଜିକୁ ମିଶାଇଲେ ଚଳିତମାସରେ ଭୁବନେଶ୍ବରରେ ଡିଜେଲ ଦର ୧ ଟଙ୍କା ୩୩ ପଇସା ମହଙ୍ଗା ହୋଇଗଲାଣି। ପେଟ୍ରୋଲ ଦର ସ୍ଥିର ଥିବାବେଳେ ଡିଜେଲ ଦର ବଢ଼ୁଥିବାରୁ ଗ୍ରାହକଙ୍କ ଅସନ୍ତୋଷ ଦେଖାଦେଇଛି।