୨୦ ଖଣି ନିଲାମ ହେବ, ପ୍ରକାଶ ପାଇଲା ବିଜ୍ଞପ୍ତି
୨୦ ଖଣି ନିଲାମ ହେବ, ପ୍ରକାଶ ପାଇଲା ବିଜ୍ଞପ୍ତି
admin
Dec 7, 2019 - 05:50
Updated: Dec 7, 2019 - 05:50
ଭୁବନେଶ୍ୱର : ରାଜ୍ୟ ସରକାର ଶୁକ୍ରବାର ୨୦ଟି ଖଣିର ନିଲାମ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଗତ ଅକ୍ଟୋବର ମାସରେ ୩ଟି ପର୍ଯ୍ୟାୟରେ ୪୦ଟି ଖଣିର ନିଲାମ ପାଇଁ ସରକାର ବିଜ୍ଞପ୍ତି ଜାରି କରିଥିଲେ । କିନ୍ତୁ ଖଣି ହାତେଇବା ପାଇଁ ଆଇନରେ ଥିବା ଗଳାବାଟର ସୁଯୋଗ ନେଇ କେତେକ କମ୍ପାନି ଚଞ୍ଚକତା କରିଥିବା ବିଷୟରେ ଅନ୍ୟ କମ୍ପାନି ଗୁଡ଼ିକ ଅଭିଯୋଗ କରିଥିଲେ । ଫଳରେ ସରକାର ୪୦ ଯାକ ଖଣିର ନିଲାମକୁ ବାତିଲ କରିଦେଇଥିଲେ । ଏଥିସହିତ ୨୦ଟି ଖଣିର ନିଲାମ ଡିସେମ୍ବର ୬ ତାରିଖରେ କରିବେ ବୋଲି ଘୋଷଣା କରିଥିଲେ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶୁକ୍ରବାର ୨୦ଟି ଖଣିର ନିଲାମ ବିଜ୍ଞପ୍ତି ଜାରି ହୋଇଛି । ଏହି ୨୦ଟି ଖଣି ମଧ୍ୟରେ ୧୨ଟି ଲୁହାପଥର, ୨ଟି ମାଙ୍ଗାନିଜ୍ ଏବଂ ୬ଟି ଲୁହାପଥର ଓ ମାଙ୍ଗାନିଜ୍ ଖଣି ରହିଛି । ନିଲାମ ପାଇଁ ଯେଉଁ ୧୨ଟି ଲୁହାପଥର ଖଣି ବିଜ୍ଞପ୍ତିରେ ରହିଛି ସେଗୁଡ଼ିକ ହେଲା ଗୋରୁମହିଷାଣୀ, ବାଦାମପାହାଡ଼, ଜଜାଙ୍ଗ, ନାଡ଼ିଡ଼ିହ(ବିକୋ), ବାଲ୍ଦା, ନୂଆଗାଁ, ଠାକୁରାଣୀ, ଝିଲିଙ୍ଗ୍-ଲଙ୍ଗଲୋତା, ଜରିବାହଲ, ରୋଇଡ଼ା-୨, ଜୁଜୁରି ଏବଂ ଗନୁଆ । ଯେଉଁ ଦୁଇଟି ମାଙ୍ଗାନିଜ୍ ଖଣିର ନିଲାମ ପାଇଁ ବିଜ୍ଞପ୍ତି ଜାରି ହୋଇଛି ସେଗୁଡ଼ିକ ହେଲା କଟାସାହି ଏବଂ କନ୍ଥେର-କୋଇଡ଼ା । ସେହିଭଳି ଯେଉଁ ୬ଟି ଲୁହାପଥର ଏବଂ ମାଙ୍ଗାନିଜ୍ ଖଣି ପାଇଁ ନିଲାମ ବିଜ୍ଞପ୍ତି ଜାରି ହୋଇଛି ସେଗୁଡ଼ିକ ହେଲା ନାଡ଼ିଡ଼ିହ (ଫ୍ରିଗେଡ୍), ତେହେରାଇ, କୋଲମଙ୍ଗ, ସିଲଯୋର-କାଲିମାଟି, ନାରାୟଣପୋଷି ଏବଂ ମହୁଲଶୁଖା ।
ତେବେ ଏସବୁ ଖଣି ମଧ୍ୟରୁ ସରକାର ୬ଟି ଖଣିକୁ ସ୍ପଞ୍ଜ ଆଇରନ ଉତ୍ତପାଦନକାରୀ ଏବଂ/ବା ପିଗ୍ ଆଇରନ ଏବଂ/ବା ଇସ୍ପାତ ଏବଂ/ବା ପେଲେଟ ଉତ୍ପାଦନକାରୀଙ୍କ ପାଇଁ ସଂରକ୍ଷିତ ରଖିଛନ୍ତି । ସେହି ଖଣିଗୁଡ଼ିକ ହେଲା ଠାକୁରାଣୀ ଲୁହାପଥର ଖଣି, ଜରିବାହଲ ଲୁହାପଥର ଖଣି, ରୋଇଡ଼ା ୨ ଲୁହାପଥର ଖଣି, ଗନୁଆ ଲୁହାପଥର ଖଣି ଏବଂ ନାରାୟଣପୋଷି ଲୁହାପଥର ଓ ମାଙ୍ଗାନିଜ୍ ଖଣି । ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ ୧୯୫୭ର ଧାରା ୧୦(ବି) ଏବଂ ଖଣିଜ (ନିଲାମ) ନିୟମ, ୨୦୧୫ ଅନୁଯାୟୀ ଏହି ନିଲାମ ଡକାଯାଇଛି । ଆର୍ଥିକ ନିଲାମକୁ କେବଳ ଡିଜିଟାଲ ଫର୍ମାଟରେ ଆହ୍ୱାନ କରାଯାଇଥିବାବେଳେ ବୈଷୟିକ ନିଲାମକୁ ଉଭୟ ଡିଜିଟାଲ ଓ ଫିଜିକାଲ ଫର୍ମାଟରେ ଆହ୍ୱାନ କରାଯାଇଛି । ଯୋଗ୍ୟ ସଂସ୍ଥା ଗୁଡ଼ିକ ଏହି ନିଲାମରେ ଭାଗ ନେଇପାରିବେ । ନିଲାମରେ ଭାଗ ନେବା ଯୋଗ୍ୟତା, ଆବେଦନ ସଂକ୍ରାନ୍ତ ତାରିଖ ଓ ସମୟ ଟେଣ୍ଡର ଦସ୍ତାବିଜରେ ରହିଛି । ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ଏମ୍ଏସ୍ଟିସି ଲିମିଟେଡ୍ ୱେବସାଇଟରୁ ଡାଉନଲୋଡ଼ କରାଯାଇ ପାରିବ । ଆଗ୍ରହୀ ଏବଂ ଯୋଗ୍ୟ ନିଲାମ ଡ଼କାଳୀମାନେ ଏମ୍ଏସ୍ଟିସି ଲିମିଟେଡର ୱେବସାଇଟରେ ପଞ୍ଜୀକରଣ କରିପାରିବେ । ପଞ୍ଜୀକରଣ ସଫଳ ହେଲେ ଯୋଗ୍ୟ ନିଲାମଡକାଳୀମାନେ ଇ-ନିଲାମ ପ୍ରକ୍ରିୟାରେ ଭାଗ ନେବା ପାଇଁ ଲଗଇନ୍ ଆଇଡି ଏବଂ ପାସୱାର୍ଡ ପାଇପାରିବେ । ଏମ୍ଏସ୍ଟିସି ଲିମିଟେଡର ୱେବସାଇଟରେ ଆଦର୍ଶ ଟେଣ୍ଡର ଦସ୍ତାବିଜ୍ ଏବଂ ଖଣିଜ ବ୍ଲକ ସମ୍ପର୍କିତ ତଥ୍ୟ ମାଗଣାରେ ଉପଲବ୍ଧ ହେବ । ଟେଣ୍ଡର କାଗଜପତ୍ର କ୍ରୟର ଶେଷ ତାରିଖ ଡିସେମ୍ବର ୩୦ ରଖାଯାଇଛି । ସେହିଭଳି ନିଲାମ ଦାଖଲର ଶେଷ ଦିବସକୁ ୨୦୨୦ ଜାନୁଆରି ୩ ତାରିଖ ମଧ୍ୟାହ୍ନ ୧୨ଟା ରଖାଯାଇଛି । ଗୋଟିଏ ଖଣି ପାଇଁ ଟେଣ୍ଡର କାଗଜପତ୍ରର ମୂଲ୍ୟ ୫ ଲକ୍ଷ ଟଙ୍କା ରଖାଯାଇଛି । ପୂର୍ବରୁ ଗତ ଅକ୍ଟୋବର ୪ ଏବଂ ୧୪ ତାରିଖରେ ଡକାଯାଇଥିବା ନିଲାମରେ ଯେଉଁମାନେ କାଗଜପତ୍ର କ୍ରୟ କରିଛନ୍ତି ସେମାନେ ଅର୍ଥ ଜମା ନକରି ଟେଣ୍ଡର କାଗଜପତ୍ର ପାଇପାରିବେ ।