୧୦ରୁ ଅଧିକ କର୍ମଚାରୀ ସଂକ୍ରମିତ, ଡିସିପି ଅଫିସ୍ ସିଲ୍
୧୦ରୁ ଅଧିକ କର୍ମଚାରୀ ସଂକ୍ରମିତ, ଡିସିପି ଅଫିସ୍ ସିଲ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବାଣୀବିହାରସ୍ଥିତ ଡିସିପି ଅଫିସ୍କୁ ସିଲ୍ କରିଛି ବିଏମ୍ସି। ୧୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଏହି ଅଫିସକୁ ସିଲ୍ କରିଛି ବିଏମ୍ସି। ଏନେଇ ସୂଚନା ଦେଇଛନ୍ତି ବିଏମ୍ସିର ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନର।
ଡିସିପି କାର୍ୟ୍ୟାଳୟର ପ୍ରାୟ ୧୦ରୁ ଅଧିକ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେଣୁ ଏବେ ବାହାରୁ ଅନ୍ୟମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି। ଏଥିସହ ଭିତରେ ଯେଉଁ କର୍ମଚାରୀ ଭିତରେ ଅଛନ୍ତି ସମସ୍ତଙ୍କ ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ସେମାନଙ୍କୁ ମଧ୍ୟ ବାହାରକୁ ଯିବାକୁ ଅନୁମତି ମିଳିନି। ବିଏମସିର ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ସେମାନଙ୍କୁ କାର୍ୟ୍ୟାଳୟ ଭିତରେ ହିଁ ରହିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସମେତ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨୬୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ଏଯାଏ ରାଜ୍ୟରେ ୩୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି।
ରାଜ୍ୟରେ କ୍ଷୀପ୍ର ବେଗରେ କରୋନା ମାଡ଼ି ଚାଲିଥିବା ବେଳେ ଆଜି ଅପରାହ୍ଣ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ସମୀକ୍ଷା କରିବେ। ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପୁଲିସ୍ ବିଭାଗ ସମେତ ଅନ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।
ଏଥିରେ ତୃତୀୟ ଲହରର ମୁକାବିଲା ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇପାରେ ବୋଲି ଆଲୋଚନା ହେଉଛି।




admin 