୧୦ ବର୍ଷ ପରେ ନବୀନ ଯିବେ ବିଦେଶ!

୧୦ ବର୍ଷ ପରେ ନବୀନ ଯିବେ ବିଦେଶ!

୧୦ ବର୍ଷ ପରେ ନବୀନ ଯିବେ ବିଦେଶ!

ଭୁବନେଶ୍ୱର: ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତ  କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ନେଇ ସରକାରୀ ଭାବେ ବିଧିବଦ୍ଧ ସୂଚନା ଜାରି କରାଯାଇନାହିଁ । କିନ୍ତୁ, ଖବର ଅଛି ଯେ ଏଇ ମାସରେ ନବୀନ ବିଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୮ ତାରିଖରେ ସେ ପ୍ରଥମେ ଦୁବାଇ ଗସ୍ତ କରିବେ । ଦୁବାଇରେ କିଛି କାର୍ଯ୍ୟକ୍ରମରେ ଯୋଗ ଦେବେ । ଦୁବାଇ ପରେ ସେ ଯିବେ ଇଟାଲି । ବିଦେଶୀ ନିବେଶକଙ୍କୁ ଓଡ଼ିଶାକୁ ଆଣିବା ପାଇଁ ଆମନ୍ତ୍ରଣ ଦେବାକୁ ଏହି ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । 

  ସୂଚନାଯୋଗ୍ୟ, ୨୦୧୨ ମେ’ ମାସରେ ନବୀନ ଶେଷ ଥର ପାଇଁ ଭାରତ ବାହାରକୁ ଗସ୍ତରେ ଯାଇଥିଲେ । ସେତେବେଳେ ସେ ଲଣ୍ଡନ ଯାଇଥିଲେ । ଏହି ସମୟରେ ଓଡ଼ିଶା ରାଜନୀତିରେ ଘଟିଥିଲା ବଡ଼ ଘଟଣା । ନବୀନଙ୍କୁ ଗାଦିଚୁ୍ୟତ କରିବାକୁ ଷଡ଼ଯନ୍ତ୍ର ରଚିଥିଲେ ସେତେବେଳର ବିଜେଡିର ସବୁଠୁ କ୍ଷମତାଶାଳୀ ନେତା ଥିବା ତକ୍ରାଳୀନ ସାଂସଦ ପ୍ୟାରୀମୋହନ ମହାପାତ୍ର । ପ୍ୟାରୀଙ୍କ ସହିଦନଗର   ବାସଭବନରେ ଏକାଠି ହୋଇଥିଲେ ବିଜେଡିର ବହୁ ବିଧାୟକ । ସେଥିରୁ ଅଧିକାଂଶ ଥିଲେ ପ୍ୟାରୀଙ୍କ ଖାସ ଅନୁଗତ। ମାତ୍ର ପ୍ୟାରୀଙ୍କ ଉଦ୍ୟମ ସଫଳ ହୋଇପାରିଲାନି । ପ୍ୟାରୀ ବିରୋଧୀ ଗୋଷ୍ଠୀ ସକ୍ରିୟ ହେବା ପରେ ମିଡନାଇଟ ଅପରେସନ ପଣ୍ଡ ହୋଇଗଲା । ନବୀନ ଅଧାରୁ ଗସ୍ତ ସାରି ଲଣ୍ଡନରୁ ଫେରି ଆସିଲେ । ତା’ପରେ ପ୍ୟାରୀ ଦଳରୁ ବିଦା ହେଲେ । ଇତିମଧ୍ୟରେ ୧୦ ବର୍ଷ ବିତିଗଲାଣି । ଏହି ୧୦ ବର୍ଷ ଭିତରେ ନବୀନ ଆଉ ବିଦେଶ ଗସ୍ତ କରିନଥିଲେ । ଏବେ ନବୀନ  ବିଦେଶ ଗସ୍ତ ପୂର୍ବରୁ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିଛନ୍ତି ।  
ସୂଚନା ଅନୁଯାୟୀ, ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଦୁବାଇ ଯିବେ। ଉକ୍ତ ଦିନ ସେଠାରେ ଅୟୋଜିତ ହେବାକୁ ଥିବା ଇନଭେଷ୍ଟମେଣ୍ଟ ମିଟ୍‌ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଦୁବାଇ ବିଶ୍ୱର ଏକ ପ୍ରମୁଖ ଇନଭେଷ୍ଟମେଣ୍ଟ ହବ୍‌ ହୋଇଥିବା ବେଳେ ସେଠାରେ ଥିବା ବଡ଼ ବଡ଼ ନିବେଶକଙ୍କୁ ଓଡ଼ିଶା ଆସି ଶିଳ୍ପ ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ ଦେବେ ମୁଖ୍ୟମନ୍ତ୍ରୀ। ଏହା ପରେ ଉକ୍ତ ଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦୁବାଇରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବା ସହ ସେମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ୟ୍ୟକ୍ରମରେ ଯୋଗ ଦେବେ।

ଦୁବାଇ କାର୍ୟ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ଗସ୍ତ କରିବେ ବୋଲି ଜଣାଯାଇଛି। ସେଠାରେ ସେ ରୋମ୍ ଇନଭେଷ୍ଟର୍ସ ମିଟ୍‌ରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ନିବେଶକଙ୍କୁ ଓଡ଼ିଶାରେ ଅଧିକ ନିବେଶ ପାଇଁ ଅନୁରୋଧ କରିବେ ନବୀନ। ଇପିକଲ୍, ଫିକି ଓ ଦୁବାଇସ୍ଥିତ ଇଣ୍ଡିଅଆନ କନସଲେଟ୍ ପକ୍ଷରୁ ଏଥିନିମନ୍ତେ କାର୍ୟ୍ୟକ୍ରମ ସ୍ଥିର ହୋଇଛି।