୧୦ ଦିନରେ ଚୀନରୁ ଆମେରିକାରେ ପହଞ୍ଚିଗଲା ପ୍ଲେଗ
୧୦ ଦିନରେ ଚୀନରୁ ଆମେରିକାରେ ପହଞ୍ଚିଗଲା ପ୍ଲେଗ
admin
Jul 16, 2020 - 13:41
Updated: Jul 16, 2020 - 13:41
ନୁ୍ୟୟର୍କ: ଚୀନରୁ ବ୍ୟାପିଥିବା କରୋନା ଭାଇରସ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ସେଠାରୁ ଆଉ ଏକ ମାରାତ୍ମକ ରୋଗ ବ୍ୟାପିବା ଆରମ୍ଭ କରିଛି । ବୁ୍ୟବୋନିକ ପ୍ଲେଗ ବୋଲି କୁହାଯାଉଥିବା ଏହି ରୋଗ ମାତ୍ର ୧୦ ଦିନ ଭିତରେ ଚୀନରୁ ଆମେରିକା ପହଞ୍ଚିଯାଇଛି । ଆମେରିକାର କଲରାଡୋ ପ୍ରଦେଶରେ ଗୋଟିଏ ଗୁଣ୍ଡୁଚି ମୂଷା ଏଭଳି ପ୍ଲେଗ ଦ୍ୱାରା ସଂକ୍ରମିତ ହୋଇଥିବାର ଜଣାପଡ଼ିଛି । ଏହା ସେଠାରେ ଆତଙ୍କ ଖେଳାଇ ଦେଇଛି । ଏହି ପ୍ଲେଗ କେତେ ମାରାତ୍ମକ ତାହା ଏଇଥିରୁ ଜଣାପଡେ଼ ଯେ ବିଶ୍ୱରେ ପୂର୍ବରୁ ତିନି ଥର ଏହା ଅତି ବ୍ୟାପକ ମାତ୍ରାରେ ବ୍ୟାପିଥିଲା । ପ୍ରଥମ ଥରକ ଏହା ଯୋଗୁଁ ୫ କୋଟି ଲୋକ ପ୍ରାଣ ହରାଇଥିବା ବେଳେ ଦ୍ୱିତୀୟ ଥରରେ ଯୁରୋପ ମହାଦେଶର ଏକ ତୃତୀୟାଂଶ ଲୋକ ପ୍ରାଣ ହରାଇଥିଲେ । ତୃତୀୟ ଥର ଏହା ଯୋଗୁଁ ୮୦,୦୦୦ ଲୋକ ମରିଥିଲେ । ମୂଷାମାନଙ୍କ ଦେହରେ ଥିବା ଏକ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପୁଥିବା ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ଯଦି ୨୪ ଘଣ୍ଟା ଭିତରେ ଚିକିତ୍ସିତ ନ ହୁଅନ୍ତି, ତେବେ ତାଙ୍କର ମୃତୁ୍ୟ ନିଶ୍ଚିତ । ତେଣୁ ଏହି ଖବର ଏବେ ସମଗ୍ର ବିଶ୍ୱରେ ଭୟ ସୃଷ୍ଟି କରିଛି ।
ରିପୋର୍ଟ ଅନୁଯାୟୀ ମାତ୍ର ୧୦ ଦିନ ତଳେ ମଙ୍ଗୋଲିଆରେ ଦୁଇ ଜଣ ବ୍ୟକ୍ତି ବ୍ୟବୋନିକ ପ୍ଲେଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ଖବର ଆସିଥିଲା । ସେଠାକାର ପ୍ରଶାସନ ଏହା ପରେ ପ୍ଲେଗ ବ୍ୟାପିବା ରୋକିବା ପାଇଁ କିଛି ଅଞ୍ଚଳକୁ ପୂରା ଲକଡାଉନ କରିଦେଇଥିଲା । ଏବେ କିନ୍ତୁ ଏହା ଆମେରିକାରେ ପହଞ୍ଚି ଯାଇଛି । କରୋନା ସଂକ୍ରମଣ କାରଣରୁ ବିଭିନ୍ନ ଦେଶ ମଧ୍ୟରେ ବିମାନ ସେବା ବନ୍ଦ ଥିଲା ବେଳେ ଏବଂ ବିମାନ ବନ୍ଦର ଓ ଅନ୍ୟ ସ୍ଥାନରେ ବ୍ୟାପକ ଯାଞ୍ଚ କରାଯାଉଥିବା ବେଳେ ଏହି ପ୍ଲେଗ କେମିତି ଆମେରିକାରେ ପହଞ୍ଚିଲା, ତାହା ସମସ୍ତଙ୍କୁ ଚକିତ କରିଛି । ଜୁଲାଇ ୧୧ ରେ କଲରାଡୋ ପ୍ରଦେଶର ମରିସନ ଅଞ୍ଚଳରେ ଏକ ଗୁଣ୍ଡୁଚିମୂଷା ଏଥିରେ ସଂକ୍ରମିତ ହୋଇଥିବାର ଜଣାପଡ଼ିବା ପରେ ସେଠାକାର ଲୋକଙ୍କୁ ମୂଷା, ଗୁଣ୍ଡୁଚି ମୂଷା ଏବଂ ନେଉଳଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।