ୟୁରୋପରେ ପୁଣି ଦ୍ରୁତ ସଂକ୍ରମଣ
ୟୁରୋପରେ ପୁଣି ଦ୍ରୁତ ସଂକ୍ରମଣ
admin
Oct 16, 2020 - 10:31
Updated: Oct 16, 2020 - 10:31
ଲଣ୍ଡନ: ୟୁରୋପରେ ପୁଣି ଦ୍ରୁତ କୋଭିଡ଼ ସଂକ୍ରମଣ ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ୟୁରୋପରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଚିନ୍ତା ପ୍ରକଟ କରିଛି । ୟୁରୋପର ସଂକ୍ରମଣକୁ ହୁ ରକେଟ ସହ ତୁଳନା କରିଛି ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି କହିଛି । ୟୁରୋପର ‘ହୁ’ ମୁଖ୍ୟ ଡ.ହାନସ କ୍ଲୁଗ କହିଛନ୍ତି ଯେ ଯଦି ସଂକ୍ରମଣ କମିବ ନାହିଁ ତେବେ ଆହୁରି ଅଧିକ କଡ଼ା ପଦକ୍ଷେପ ନେବାକୁ ପଡ଼ିବ । ଭାଇରସ ନିୟନ୍ତ୍ରଣ କରିବା ଦିଗରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ କୌଣସି ପ୍ରକାର ସାଲିସ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଡ. କ୍ଲୁଗ କହିଛନ୍ତି, ଅଧିକାଂଶ ସଂକ୍ରମଣ ଘରେ ହିଁ ବୃଦ୍ଧି ପାଉଛି । ସେ କହିଛନ୍ତି ଯଦି ୯୫ ପ୍ରତିଶତ ଲୋକ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବେ ତେବେ ୟୁରୋପ ଫେବ୍ରୁଆରୀ ସୁଦ୍ଧା ୨ ଲକ୍ଷ ୮୧ ହଜାର ମୃତୁ୍ୟକୁ ଏଡାଇ ଦେଇପାରେ । କିନ୍ତୁ ଭାଇରସ ନିୟନ୍ତ୍ରଣ ଦିଗରେ ଯଦି କୌଣସି କଡ଼ା ପଦକ୍ଷେପ ଗ୍ରହଣ ନ ହୁଏ, ତେବେ ଜାନୁଆରୀ ସୁଦ୍ଧା ମୃତୁ୍ୟ ୫ ଗୁଣ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ସଂକ୍ରମଣ ବଢ଼ିବା ପରେ ଫ୍ରାନ୍ସ କଡ଼ା ପଦକ୍ଷେପ ଗ୍ରହଣ କରିଛି । ପ୍ୟାରିସ ଏବଂ ଅନ୍ୟ ୮ଟି ସହରରେ କର୍ଫୁ୍ୟ ଲାଗୁ ହୋଇଛି । ଜର୍ମାନୀ ଏବଂ ଆୟରଲାଣ୍ଡରେ ମଧ୍ୟ କଟକଣା କଡ଼ାକଡ଼ି ହୋଇଛି ।